ଚତୁର ଠକ, ନକଲି ସିଭିରେ ହାସଲ କରିଥିଲେ ବଡ଼ ଚାକିରି। ଗୋଟିଏ କମ୍ପାନୀର ବଡ଼ ପଦବୀରେ ରହିବା ସହ ମାସିକ ୨ ଲକ୍ଷରୁ ଅଧିକ ଟଙ୍କାର ଦରମା ମଧ୍ୟ ଉଠାଉଥିଲେ। ମଧ୍ୟପ୍ରଦେଶରେ ଘଟିଛି ଏହି ଘଟଣା । କ୍ରାଇମବ୍ରାଞ୍ଚ ଇନସପେକ୍ଟର ଅମିତ ଶର୍ମାଙ୍କ କହିବା କଥା ଯେ କାନୁପରର ମୂଳବାସିନ୍ଦା ଦେବେନ୍ଦ୍ର କୁମାର ଦୁବେଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ପୂରା ଘଟଣାଟି ହେଲା, ଦେବେନ୍ଦ୍ର ଶ୍ରୀତୁଲଜା ଭାବାନୀ ଅଟୋମୋବାଇଲ ପ୍ରାଇଭେଟ ଲିଃର ଗ୍ରୁପ ଭାଇସ ପ୍ରେସିଡେଣ୍ଟ ପଦ ପାଇଁ ଆବେଦନ କରିଥିଲେ। ଏହି ସମୟରେ ସେ ନକଲି ଦସ୍ତାବିଜ ଦାଖଲ କରି ଲ୍ୟାଣ୍ଡମାର୍କ ଗ୍ରୁପରେ କାମ କରୁଥିବା ସମସ୍ତଙ୍କୁ ଜଣାଇଥିଲେ। ହେଲେ ଯାଞ୍ଚ ବେଳେ ଦେବେନ୍ଦ୍ର କେବେ ବି ଲ୍ୟାଣ୍ଡମାର୍କ ଗ୍ରୁପରେ କାମ କରୁ ନଥିବା ସ୍ପଷ୍ଟ ହୋଇଛି। ଲ୍ୟାଣ୍ଡମାର୍କ ଗ୍ରୁପରେ କାମ କରୁ ନଥିଲେ ମଧ୍ୟ ଜାଲ କାଗଜପତ୍ର ଦ୍ୱାରା ସେ ଚାକିରି ପାଇବା ସହ ମୋଟା ଅଙ୍କର ଦରମା ନେଉଥିଲେ।

ଅଭିଜ୍ଞତା ନଥାଇ ସେ ଶ୍ରୀତୁଲଜା ଭାବାନୀ ଅଟୋମୋବାଇଲ ପ୍ରାଇଭେଟ ଲିଃରେ ଗ୍ରୁପ ଭାଇସ ପ୍ରେସିଡେଣ୍ଟ ପଦରେ କାମ କରିଥିଲେ ଓ ମାସିକ ୨,୮୦,୬୭୦ ଟଙ୍କା ଦରମା ଉଠାଉଥିଲେ। ସବୁ କିଛି ଜଣାପଡ଼ିବା ପରେ କ୍ରାମଇବ୍ରାଞ୍ଚ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା। ପୁଲିସ୍ ଟିମ କାନପୁର ଯାଇ ଖୋଳତାଡ଼ ଆରମ୍ଭ କରିଥିଲା। ଶେଷରେ ସୋମବାର ପୁଲିସ କାନପୁରରୁ ଦେବେନ୍ଦ୍ରଙ୍କୁ ଗିରଫ କରିଛି।
