ଭାରତ

ବିଜୁଳି ବିଲ୍‌ ଆସିଲା ୪ କୋଟି, ମେସେଜ୍‌ ଦେଖି ଘର ମାଲିକ ମୂର୍ଚ୍ଛା

କୋଟିଏ କି ଦୁଇ କୋଟି ନୁହେଁ ଚାରିକୋଟିର ବିଜୁଳି ବିଲ୍‌ । ସବୁଠାରୁ ବଡ଼ କଥା ହେଲା କୌଣସି ବଡ଼ ଶିଳ୍ପ କି କୌଣସି ନାମକରା କମ୍ପାନୀର ନୁହେଁ, ଜଣେ ଘରୋଇ ଉପଭୋକ୍ତାଙ୍କ ନିକଟକୁ ଆସିଛି ଏହି ବିଲ୍ । ନୋଏଡାରେ ବିଦ୍ୟୁତ୍ ବିଭାଗର ଏପରି ଏକ ବଡ ଅବହେଳା ସାମ୍ନାକୁ ଆସିଛି, ଯେଉଁଠାରେ ଘରୋଇ ଗ୍ରାହକଙ୍କୁ ୪ କୋଟି ଟଙ୍କା ବିଲ୍ ଦିଆଯାଇଛି। କୋଟି କୋଟି ଟଙ୍କାର ବିଲ୍ ଦେଖି ଘର ମାଲିକ ଆଶ୍ଚର‌୍ୟ୍ୟ ହୋଇ ଯାଇଛନ୍ତି । ଏନେଇ ପୀଡ଼ିତ ଜଣକ ବିଦ୍ୟୁତ୍ ନିଗମରେ ଅଭିଯୋଗ କରିଛନ୍ତି। ଏହି ଘଟଣା ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ନୋଏଡାର ସେକ୍ଟର -୧୨୨ ରେ ରହୁଥିବା ଘରୋଇ ଗ୍ରାହକଙ୍କୁ ବିଦ୍ୟୁତ୍ ବିଭାଗ ୪ କୋଟି ୨ ଲକ୍ଷ ଟଙ୍କା ବିଦ୍ୟୁତ୍ ବିଲ୍ ପଠାଇଛି। ଫୋନରେ ବିଦ୍ୟୁତ୍ ବିଲ୍ ମେସେଜ୍ ଦେଖି ପ୍ରଥମେ ନିଜ ଆଖିକୁ ବିଶ୍ୱାସ କରିପାରି ନଥିଲେ ଉପଭୋକ୍ତା ଜଣକ । ଏହା ପରେ ସେ ବିଦ୍ୟୁତ୍ ନିଗମରେ ଏହି ବିଷୟରେ ଅଭିଯୋଗ କରିଛନ୍ତି। ଘର ମାଲିକ କହିଛନ୍ତି, ତାଙ୍କୁ ବିଦ୍ୟୁତ୍ କମ୍ପାନୀ ତରଫରୁ ଏକ ଏସଏମଏସ ଆଲର୍ଟ ମିଳିଛି । ତାଙ୍କୁ ତିନି ମାସର ବିଦ୍ୟୁତ ବିଲ ୪,୦୨,୩୧,୮୪୨.୩୧ ଟଙ୍କା ଜମା କରିବାକୁ ପଡ଼ିବ । ଟଙ୍କା ପଇଠ କରିବାର ଶେଷ ତାରିଖ ହେଲା ଜୁଲାଇ ୨୪, ନହେଲେ ବିଜୁଳି କାଟି ଦିଆଯିବ ।

ସୂଚନାନୁସାରେ, ସେକ୍ଟର -୧୨୨ ର ସି ବ୍ଲକର ବାସିନ୍ଦା ବସନ୍ତ ଶର୍ମା ରେଳବାଇରେ କାମ କରନ୍ତି। ପ୍ରତ୍ୟେକ ମାସ ପରି ଜୁଲାଇ ମାସରେ ମଧ୍ୟ ବସନ୍ତଙ୍କ ମୋବାଇଲକୁ ମେସେଜ୍‌୍ ଆସିଥିଲା । ହେଲେ ଏଥର ବସନ୍ତ ଶର୍ମା ବିଦ୍ୟୁତ୍ ବିଲ୍ ପରିମାଣ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ବିଦ୍ୟୁତ୍ ବିଭାଗ ଦ୍ୱାରା ପଠାଯାଇଥିବା ବିଲରେ ବସନ୍ତ ଶର୍ମାଙ୍କୁ ୪ କୋଟି ୨ ଲକ୍ଷ ଟଙ୍କା ଜମା କରିବା ପାଇଁ ନିର୍ଦ୍ଦେଶ ରହିଥିଲା । ସବୁଥର ମାସକ ପାଖାପାଖି ୧୦୦୦ ଟଙ୍କା ବିଲ୍‌ ଆସୁଥିବା ବେଳେ ଏଥରର ବିଲ୍‌ ଦେଖି ତାଙ୍କ ମୁଣ୍ଡ କାମ କରିନଥିଲା ।

ତେବେ ଅଭିଯୋଗ ପରେ ବସନ୍ତ ଶର୍ମାଙ୍କ ବିଲକୁ କିଛି ଦିନ ପାଇଁ ହୋଲ୍ଡ କରିଦିଆଯାଇଥିଲା । ପରେ ତାଙ୍କୁ ସଂଶୋଧିତ ବିଲ ପଠାଇଥିଲା ବିଭାଗ । ନୂଆ ବିଲ୍ ଅନୁସାରେ ତାଙ୍କୁ ୩ ମାସ ପାଇଁ ୨୮ ହଜାର ଟଙ୍କା ପଇଠ କରିବା ପାଇଁ ପଡ଼ିବ । ଏବେ ନୂଆ ବିଜୁଳି ବିଲ୍‌୍ ଦେଖିବା ପରେ ଶାନ୍ତିରେ ନିଶ୍ୱାସ ମାରିଛନ୍ତି ବ୍ୟକ୍ତି ଜଣକ । ଭବିଷ୍ୟତରେ ଏପରି ଭୁଲ ନହେବା ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।

Related posts

ନୀତିନଙ୍କୁ ଭେଟିଲେ ଧର୍ମେନ୍ଦ୍ର

mahabharatanews

ହନୁମାନ ପତାକାକୁ କାଢ଼ିବାକୁ ନେଇ ବିକ୍ଷୋଭ ପ୍ରଦର୍ଶନ

mahabharatanews

 ସ୍ମାରକ ଡାକ ଷ୍ଟାମ୍ପ ଉନ୍ମୋଚନ

mahabharatanews