(ସମ୍ବଲପୁର) : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିନିକିଆ ସମ୍ବଲପୁର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ । ଏହି ସମୟରେ ସମ୍ବଲପୁର IIM ଲୋକାର୍ପଣ କରିବେ । ଏହା ସହ ରେମେଡ ପଡିଆରେ ବିଶାଳ ଗ୍ୟାରେଣ୍ଟି ସମାବେଶରେ ଜନ ସାଧାରଣଙ୍କୁ ଉଦବୋଧନ ଦେବେ ।
ସୂଚନାନୁଯାୟୀ , ସମ୍ବଲପୁର IIMର ଲୋକାର୍ପଣ ସହ ଅନ୍ୟ କେତେକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଉଭୟ IIMର ଛାତ୍ରଛାତ୍ରୀ, କର୍ମଚାରୀ ଓ ନିର୍ଦ୍ଦେଶକ ଖୁବ ଉତ୍ସାହିତ ଅଛନ୍ତି । ହେଲିପ୍ୟାଡ ଏବଂ ମଞ୍ଚ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ଅପରାହ୍ନରେ ଆସି ପ୍ରଥମେ ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇବେ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ସମ୍ବଲପୁର ସ୍ଥିତ ଅସ୍ଥାୟୀ ହେଲିପ୍ୟାଡ ଯାଏଁ ଯାଇ ଆଇଆଇଏମ୍ କ୍ୟାମ୍ପସରେ ପହଞ୍ଚିବେ । ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ରେମେଡ୍ ପଡ଼ିଆରେ ଏକ ସାଧାରଣ ସଭାକୁ ମୋଦି ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି । ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି କରାଯାଇଛି । ସୁରକ୍ଷା ଦାୟିତ୍ୱରେ ୭୦ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ । ୭ଜଣ କମାଣ୍ତାଣ୍ଟଙ୍କ ସମେତ ପ୍ରାୟ ୩୦୦ଅଫିସର ସୁରକ୍ଷା ଦାୟିତ୍ୱରେ ରହିବେ । ଉତ୍ତରାଞ୍ଚଳ ପୋଲିସ ରେଞ୍ଜ ଅନ୍ତର୍ଗତ ୪ଟି ଜିଲ୍ଲାର ଏସପି ଓ 2 ଜଣ ଆଇଜି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ ।