(ଭୁବନେଶ୍ୱର) : ମିଶନ ଶକ୍ତି ମାଆ ମାନଙ୍କ ପାଇଁ ଖୁସି ଖବର । ମାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଟି ବଡ଼ ଭେଟି ଦେଇଛନ୍ତି । ବିନା ସୁଧରେ ୧ ୦ଲକ୍ଷ ଟଙ୍କା ପର୍ୟ୍ୟନ୍ତ ମିଶନ ଶକ୍ତି ଋଣ ମା’ମାନଙ୍କୁ ମିଳିବ । ଯେଉଁମାନେ ପୂର୍ବରୁ ଋଣ ବାବଦ ସୁଧ ଭରିଥିବେ, ସେମାନଙ୍କ ସୁଧ ଟଙ୍କା ଫେରସ୍ତ ହେବ । ଏ ବାବଦରେ ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ ହେବ । ସେହିଭଳି ୟୁନିଫର୍ମ ଓ ବ୍ଲେଜର ପାଇଁ ୭୦ ଲକ୍ଷ ମହିଳା ଓ ଦେଢ ଲକ୍ଷ ମିଶନ ଶକ୍ତି ଲିଡରଙ୍କୁ ୭୩୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ ।
ତେବେ ସବୁଠାରୁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ୫ ବର୍ଷରେ ରାଜ୍ୟରେ ୫ ହଜାର ମିଶନ ଶକ୍ତି ବଜାର ଖୋଲାଯିବ । ଚଳିତବର୍ଷ ମିଶନ ଶକ୍ତିର ମା’ ମାନେ ୧୫ ହଜାର କୋଟି ଟଙ୍କା ଋଣ ପାଇଛନ୍ତି। ଆସନ୍ତା ୫ ବର୍ଷରେ ମିଶନ ଶକ୍ତି ମା’ଙ୍କୁ ୭୫ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ। ଏହାସହ ସୁଧ ଫେରସ୍ତ ବାବଦକୁ ୧୪୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ଗତ ୫ ବର୍ଷରେ ୯୨୫ କୋଟି ଟଙ୍କା ଫେରସ୍ତ କରାଯାଇଛି । ମା’ ମାନେ ଏବେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସହଭାଗୀ ହେଉଛନ୍ତି । ନୂଆ ଓଡ଼ିଶା ଗଠନରେ ସାମିଲ ହୋଇଛନ୍ତି ମିଶନ ଶକ୍ତି ମା’।