(ଭୁବନେଶ୍ୱର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଥିଲେ। ଏହି ଯୋଜନାରେ ସାରା ରାଜ୍ୟରେ ୧୫ ରୁ ୧୯ ବର୍ଷ ବୟସର ସମସ୍ତ କିଶୋରୀ ବାଳିକାମାନଙ୍କୁ ପୁଷ୍ଟି ସହାୟତା ସହିତ ଗର୍ଭବତୀ ମହିଳା ଓ ପ୍ରସୂତୀ ମା’ମାନଙ୍କ ପାଇଁ ଅଧିକ ଶୁଖିଲା ଖାଦ୍ୟର ବ୍ୟବସ୍ଥା, ଅତିଶୟ ପୁଷ୍ଟିହୀନ ପିଲାମାନଙ୍କ ପାଇଁ ସମ୍ପୂର୍ଣ୍ଣ ଆହାର, ମଧ୍ୟମ ପୁଷ୍ଟିହୀନ ପିଲା ଏବଂ ଅତିଶୟ କମ୍ ଓଜନର ପିଲାମାନଙ୍କ ପାଇଁ ଭିଟାମିନ୍ଯୁକ୍ତ ଛତୁଆ ଓ ଅଣ୍ଡା ପ୍ରଦାନର ବ୍ୟବସ୍ଥା ରହିଛି ।
ସୂଚନାନୁଯାୟୀ , ‘ପଡା ପୁଷ୍ଟି’ ଯୋଜନାରେ ଦୁର୍ଗମ ତଥା ଆଦିବାସୀ ଅଞ୍ଚଳର ପିଲାମାନଙ୍କୁ ସେମାନଙ୍କ ପଡା ତଥା ଗ୍ରାମରେ ଉତ୍ତମ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ । ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁଷ୍ଟି ସହିତ ସମୃଦ୍ଧିର ଗଭୀର ସମ୍ପର୍କ ରହିଛି। ତେଣୁ ପୁଷ୍ଟିର ଉନ୍ନତି ଜରିଆରେ ଆମେ ବିକାଶର ଲକ୍ଷ୍ୟ ପୂରଣ କରିପାରିବା । ପରିବାରକୁ ଉପଯୁକ୍ତ ପୁଷ୍ଟି କେବଳ ମା’ ହିଁ ଦେଇ ପାରିବ । ତେଣୁ ଏହି କାର୍ଯ୍ୟକ୍ରମର ସଫଳତା ମା’ମାନଙ୍କ ଉପରେ ନିର୍ଭର କରେ ।