ଯାଜପୁର: ରାତି ପାହିଥିଲେ ବିକ୍ଷୋଭରେ ସାମିଲ ହୋଇଥାନ୍ତେ । କିନ୍ତୁ କଣ ହେଲା କେଜାଣି ରାତିରେ ହିଁ ତାଙ୍କ ମୃତ୍ୟୁ ହୋଇଗଲା । ଜଣେ ରାଜନୈତିକ ବ୍ୟକ୍ତିଙ୍କ ଆକଷ୍ମିକ ମୃତ୍ୟୁ ହୋଇଥିବା ବେଳେ ଏବେ ଏହି ଘଟଣାରେ ତାଙ୍କ ସ୍ତ୍ରୀଙ୍କୁ ଗିରଫ କରାଯାଇଛି । ସ୍ତ୍ରୀ ମଧ୍ୟ ରାଜନୀତିରେ ସକ୍ରୀୟ । ତେବେ କେମିତି ହେଲା ମୃତ୍ୟୁ । ଏହାକୁ ନେଇ ଏବେ ଯାଜପୁର ଜିଲ୍ଲାରେ ହଇଚଇ । ଯାଜପୁର ଜିଲ୍ଲା ମଙ୍ଗଳପୁର ପଞ୍ଚାୟତ ଇସ୍ମାଇଲ୍ପୁର ଗ୍ରାମର ବିଜେପି ନେତା ସୁବାସ କୁଅଁର (୪୨)ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ମଙ୍ଗଳବାର ଦିନ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତିବାଦରେ ବ୍ଲକ୍ ବିଜେପି ପକ୍ଷରୁ ଦଶରଥପୁରସ୍ଥ ଏସ୍ଡିଓଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଯୋଜନା ରହିଥିଲା । େତେଣୁ ପୂର୍ବଦିନ ରାତିରେ ଏନେଇ ବିଜେପି କାର୍ଯ୍ୟାଳୟରେ ସମସ୍ତ ବିଷୟରେ ଆଲୋଚନା ହୋଇଥିଲା । ଠିକ ସମୟରେ ସୁବାସ ବ୍ୟାନର ନେଇ ବିକ୍ଷୋଭସ୍ଥଳରେ ପହଞ୍ଚିବେ ବୋଲି ନିଷ୍ପତ୍ତି ହୋଇଥିଲା । ଏହାପରେ ସମସ୍ତେ ନିଜ ଘରକୁ ଫେରିଥିଲେ । ସୁବାସ ମଧ୍ୟ ମଙ୍ଗଳପୁର ବଜାରରେ ଥିବା ନିଜ ଭଡା ଘରକୁ ଯାଇଥିଲେ । ସୁବାସ ଓ ତାଙ୍କ ସ୍ତ୍ରୀ ମମତା, ଯିଏ କି ବିଜେପିର ସ୍ଥାନୀୟ ଆଗଧାଡିର ନେତ୍ରୀ, ଉଭୟ ତାଙ୍କ କୋଠରୀରେ ଶୋଇଥିବା ବେଳେ ଅନ୍ୟ କୋଠରୀରେ ଶାଳୀ ଓ ଶାଶୂ ଶୋଇଥିଲେ । ରାତି ପ୍ରାୟ ୧୧.୨୦ରେ ସୁବାସଙ୍କ ଚିକ୍ରାର ଶୁଣି ଶାଳୀ ସେମାନଙ୍କ କବାଡ ବାଡେଇ ଡାକିଥିଲେ ମଧ୍ୟ କେହି ଶୁଣିନଥିଲେ । ତେଣୁ ଶାଳୀ ସଂଯୁକ୍ତା ଘର ମାଲିକ ଓ ଅନ୍ୟମାନଙ୍କୁ ଡାକିଥିଲେ । ସମସ୍ତେ ଦୀର୍ଘ ସମୟ କବାଡ ବାଡେଇବା ପରେ ମମତା କବାଟ ଖୋଲିଥିଲେ । ସେତେବେଳକୁ ସୁବାସଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ତାଙ୍କୁ ତୁରନ୍ତ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା, କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ମୃତ ସୁବାସଙ୍କ ବେକରେ କୌଣସି ଜିନିଷରେ ଭିଡା ଯାଇଥିବାର ଦାଗ ଦେଖିବାକୁ ମିଳିଛି । ସେହିପରି ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ସୁବାସଙ୍କ ବେକରେ ନଖରେ ଆମ୍ପୁଡିବାର ଚିହ୍ନ ମଧ୍ୟ ରହିଛି । ପୁଲିସ ଏହି ଘଟଣାରେ କେସ୍ ନମ୍ବର ୩୬୫/୧୨ରେ ଦଫା ୩୦୨ରେ ମାମଲା ରୁଜୁ କରି ମମତାଙ୍କୁ ଗିରଫ କରିବା ସହ ଶାଶୂ ଓ ନାବାଳକ ପୁଅକୁ ଅଟକ ରଖି ପଚରାଉଚରା କରୁଛି । ମଂଗଳପୁର ଆଇଆଇସି ଇନ୍ନାମୁଲ ହକ୍, କବିତା ନାୟକ ଘଟଣାର ତଦନ୍ତ ଭାର ନେଇଛନ୍ତି ।