ଅପରାଧଓଡିଶା

ପ୍ରମୋଦିନୀ ରାଉଳଙ୍କୁ ମିଳିଲା ନ୍ୟାୟ: ଦୋଷୀଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ

ଜଗତସିଂହପୁର: ବହୁ ଚର୍ଚ୍ଚିତ ପ୍ରମୋଦିନୀ ରାଉଳଙ୍କୁ ଏସିଡ୍ ମାଡ଼ ଘଟଣାରେ ୧୩ ବର୍ଷ ପରେ ଏସିଡ୍ ଆଟାକ୍ କରିଥିବା ୨ ଦୋଷୀଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଜଗତସିଂହପୁର ଏଏସଜେ କୋର୍ଟ । ଜେଲ ଦଣ୍ଡାଦେଶ ସହ ଉଭୟଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୨୦୦୯ ଏପ୍ରିଲ ୧୮ ତାରିଖରେ ପ୍ରମୋଦିନୀ ରାଉଳଙ୍କୁ ଏସିଡ୍ ମାଡ କରିଥିଲେ ୨ ଦୁର୍ବୃତ୍ତ ସନ୍ତୋଷ ବେଦାନ୍ତ ଓ ଅନୀଲ ଦଳସିଂରାୟ ।ତେବେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ମିଳୁ ବୋଲି ପୀଡ଼ିତା ପ୍ରମୋଦିନୀ ଦାବି କରିଥିଲେ।

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କନକପୁରର ମଣିଚରଣ ଶାରଳା ଏକାଡେମୀ କଲେଜରେ ୨୦୦୯ରେ ଯୁକ୍ତଦୁଇରେ ଅଧ୍ୟୟନ କରୁଥିଲେ ପ୍ରମୋଦିନୀ । ୨୦୦୯ ଏପ୍ରିଲ ୧୮ ତାରିଖ କନକପୁରଠାରେ ତାଙ୍କ ଉପରେ ଏସିଡ଼ ମାଡ଼ ହୋଇଥିଲା ।ଏକତରଫା ପ୍ରେମକୁ ନେଇ ପ୍ରମୋଦିନୀଙ୍କ ଉପରେ ହୋଇଥିଲା ଏସିଡ଼ ଆକ୍ରମଣ । ସନ୍ତୋଷ କୁମାର ବେଦାନ୍ତ ତାଙ୍କୁ ଏକତରଫା ପ୍ରେମ କରୁଥିଲେ ।କିନ୍ତୁ ଏକତରଫା ପ୍ରେମରେ ବିଫଳ ହେବାପରେ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ ଏକ ଏସିଡ ବୋତଲ ବାହାର କରି ପ୍ରମୋଦିନୀଙ୍କ ମୁଣ୍ଡ ଓ ଦେହକୁ ଫିଙ୍ଗିବାରୁ ପ୍ରମୋଦିନୀ ଗୁରୁତର ହୋଇ ପଡ଼ିଥିଲେ ।ସଙ୍ଗେ ସଙ୍ଗେ ତାଙ୍କୁ ଜଗତସିଂହପୁର ଓ ପରେ କଟକ ବଡ଼ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ।

ଏସିଡ ମାଡ଼ରେ ପ୍ରମୋଦିନୀଙ୍କ ଶରୀରର ୮୦ ଭାଗ ପୋଡି ଯାଇଥିଲା। ଆଖି ଦୁଇଟି ମଧ୍ୟ ନଷ୍ଟ ହୋଇ ଯାଇଥିଲା। ପ୍ରାୟ ୯ ମାସ ଧରି ପ୍ରମୋଦିନି ଏସସିବି ମେଡିକାଲର ଆଇସିୟୁରେ ରହିଥିଲେ। ୫ ବର୍ଷ ମୃତ୍ୟୁ ସଂଗ୍ରାମ କରିବା ପରେ ୨୦୧୪ରେ ନିଜ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ମନରେ ଦୃଢ ଆଶା ବାନ୍ଧି ସେ ଚାଲିବାକୁ ସକ୍ଷମ ହୋଇଥିଲେ।ଅନ୍ୟପକ୍ଷେ ୨୦୧୨ ମସିହାରେ ପୋଲିସ ଏହି କେସକୁ ବନ୍ଦ କରିଦେଇଥିଲା । ହେଲେ ୨୦୧୭ ମସିହାରେ ତତକାଳିନ ଏସପି ଜୟ ନାରାୟଣ ପଙ୍କଜ ଏହି କେସକୁ ପୁଣି ଥରେ ରି-ଓପନ କରିଥିଲେ ।୨୦୧୭ ନଭେମ୍ବର ୨୫ ତାରିଖରେ ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଏବଂ ତାର ସହଯୋଗୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Related posts

ପୁଲିସ ମହାନିର୍ଦ୍ଦେଶକଙ୍କ ରାଉରକେଲା ଗସ୍ତ

mahabharatanews

ଆସନ୍ତା ୪୮ ଘଣ୍ଟାରେ ଆଉ ଏକ ଘୂର୍ଣ୍ଣିବଳୟ,ୟେଲୋ ଓ୍ବାର୍ଣ୍ଣିଂ ଜାରି

mahabharatanews

କାଳବୈଶାଖୀ ପରେ ୨୬ ରୁ ପଶ୍ଚିମା ଝଡ଼

mahabharatanews