specialଓଡିଶା

ଜେଲରଙ୍କ ଅଭିଯୋଗ ପ୍ରତ୍ୟାହାର ପାଇଁ ଚାପ! ଚୌଦ୍ୱାର ଜେଲ୍ ପ୍ରଶାସନକୁ ନେଇ ବଢ଼ିଲା ପ୍ରଶ୍ନ

“ଚୌଦ୍ୱାର ଜେଲ୍‌ର ଅଧୀକ୍ଷକ ସୁଜିତ ରାଉଳଙ୍କ ନାଁରେ କରିଥିବା ମାମଲା ପ୍ରତ୍ୟାହାର କରିନିଅ। ତୁମ ବିରୋଧରେ ହୋଇଥିବା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଉଠାଇ ନିଆଯିବ ଏବଂ ପୁଣି ଚୌଦ୍ୱାର ମଣ୍ଡଳ କାରାଗାରରେ ଜେଲର୍‌ ଭାବେ ଚାକିରି ଫେରିପାଇବ।” ଏଭଳି ଢଙ୍ଗରେ ନିଜ ଉପରେ ଚାପ ଓ ପ୍ରଲୋଭନ ଦିଆଯାଉଥିବା ଅଭିଯୋଗ କରିଛନ୍ତି ଚୌଦ୍ୱାର ସର୍କଲ୍‌ ଜେଲ୍‌ର ପୂର୍ବତନ ଜେଲର୍‌ ସନ୍ତୋଷିନୀ ଦାଶ।

ଖୋଦ୍‌ ଜେଲ୍‌ ବିଭାଗର କିଛି ବରିଷ୍ଠ ଅଧିକାରୀଙ୍କ ମାଧ୍ୟମରେ ତାଙ୍କ ଉପରେ ଚାପ ପକାଯାଉଥିବା ସନ୍ତୋଷିନୀ ଚୌଦ୍ୱାର ଥାନାରେ ସିଧାସଳଖ ଅଭିଯୋଗ କରିଛନ୍ତି। ଯେଉଁ ଜାଲିଆତି ମାମଲାରେ ଚୌଦ୍ୱାର ଜେଲ୍‌ ଅଧୀକ୍ଷକ ସୁଜିତ ରାଉଳ ଗିରଫ ହୋଇଛନ୍ତି, ସେହି ମାମଲା ପ୍ରତ୍ୟାହାର ପାଇଁ ତାଙ୍କୁ ଚାପ ଦିଆଯାଉଥିବା ସନ୍ତୋଷିନୀ ଅଭିଯୋଗ କରିଛନ୍ତି।

ସନ୍ତୋଷିନୀଙ୍କ ଅଭିଯୋଗ ଅନୁସାରେ, ମାମଲା ନମ୍ବର ୩୫/୨୦୨୬ର ତଦନ୍ତ ଚାଲିଥିବା ବେଳେ ଏହାକୁ ପ୍ରଭାବିତ କରିବା ପାଇଁ ତାଙ୍କ ଉପରେ ଚାପ ପକାଯାଉଛି। ସେପ୍ଟେମ୍ବର ୨୦ ତାରିଖ ରାତି ପ୍ରାୟ ୧୧ଟା ୧୫ରେ ସେ ଚୌଦ୍ୱାର ଥାନାରେ ଏନେଇ ଏତଲା ଦେଇଥିଲେ। ଏହା ସୁଜିତ ରାଉଳ ଭୁବନେଶ୍ୱରରୁ ଗିରଫ ହେବାର ପ୍ରାୟ ୪ ଘଣ୍ଟା ପରେ ଦିଆଯାଇଥିଲା। ତେବେ ପୁଲିସ ଏହି ଅଭିଯୋଗକୁ ଷ୍ଟେସନ୍‌ ଡାଏରୀରେ ଲିପିବଦ୍ଧ କରିଥିବା ବେଳେ ଏଯାବତ୍‌ ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି।

ସନ୍ତୋଷିନୀ ଆହୁରି ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଭୟଭୀତ କରାଯିବା ସହ ଆପତ୍ତିଜନକ ମେସେଜ୍‌ ମଧ୍ୟ ପଠାଯାଉଛି। ବିଭାଗୀୟ ଅଧିକାରୀଙ୍କ ମାଧ୍ୟମରେ ସୁଜିତଙ୍କ ବିରୋଧରେ ଥିବା ଅଭିଯୋଗ ପ୍ରତ୍ୟାହାର ପାଇଁ ଚାପ ଦିଆଯାଉଛି। ତେବେ ଏଭଳି ଚାପ ସତ୍ତ୍ୱେ ସେ କୌଣସି ପ୍ରକାର ସାଲିସ କରିବାକୁ ପ୍ରସ୍ତୁତ ନୁହନ୍ତି ଏବଂ ପୁଲିସ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି। ତାଙ୍କ ପାଖରେ ଥିବା ସମସ୍ତ ଦସ୍ତାବିଜ ମଧ୍ୟ ପୁଲିସକୁ ଦେବାକୁ ସେ ପ୍ରସ୍ତୁତ ବୋଲି କହିଛନ୍ତି।

ଅନ୍ୟପଟେ, ସୁଜିତ ରାଉଳଙ୍କ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଚୌଦ୍ୱାର ଜେଲ୍‌କୁ ପଠାଯାଇଥିଲା। ରାତି ପ୍ରାୟ ୩ଟାରେ ପୁଲିସ ତାଙ୍କୁ ଜେଲ୍‌ରେ ପହଞ୍ଚାଇଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ମଧ୍ୟ ସୁଜିତ କିଛି କହିନଥିଲେ। ଜେଲ୍‌ ମୁଖ୍ୟ ଗେଟ୍‌ ନିକଟକୁ ଗଣମାଧ୍ୟମକୁ ବାରଣ କରାଯାଇଥିବା ବେଳେ ତାଙ୍କ ପରିବାର ଲୋକଙ୍କ ଦୁଇଟି ଗାଡ଼ିକୁ ଭିତରକୁ ଯିବାକୁ ଅନୁମତି ମିଳିଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ବର୍ତ୍ତମାନ ସୁଜିତ ରାଉଳଙ୍କୁ ଚୌଦ୍ୱାର ଜେଲ୍‌ର ମେଡିକାଲ୍‌ ୱାର୍ଡରେ ରଖାଯାଇଛି। ଜେଲ୍‌ ସୂତ୍ର ଅନୁସାରେ, ସେ ଜଣେ ସାଧାରଣ ବିଚାରାଧୀନ ବନ୍ଦୀ ଭାବେ ରହୁଥିବା ବେଳେ ଅନ୍ୟ ବନ୍ଦୀଙ୍କ ଭଳି ତାଙ୍କୁ ଜେଲ୍‌ର ଖାଦ୍ୟ ଦିଆଯାଉଛି।

ଏହି ଘଟଣା ମଧ୍ୟରେ ସୋମବାର ଚୌଦ୍ୱାର ଜେଲ୍‌ରେ ହଠାତ୍‌ ଜେଲ୍‌ ଡିଜି ସୁଶାନ୍ତ ନାଥ ପହଞ୍ଚିବା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଦୀର୍ଘଦିନ ଧରି ଚୌଦ୍ୱାର ଜେଲ୍‌ ଆସିନଥିବା ଡିଜି ଆଜି ଅପରାହ୍ନରେ ଜେଲ୍‌ରେ ପହଞ୍ଚି ପ୍ରାୟ ୨ ଘଣ୍ଟା ରହିଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କଠାରୁ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ମଧ୍ୟ ସେ କୌଣସି ମନ୍ତବ୍ୟ ନଦେଇ ଫେରିଯାଇଥିଲେ।

ଡିଜି ହଠାତ୍‌ ଚୌଦ୍ୱାର ଜେଲ୍‌ ଆସିବାର କାରଣ ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ସୁଜିତ ରାଉଳ ଗିରଫ ହେବାର ୨୪ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ମଧ୍ୟ ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଏବଂ ତାଙ୍କୁ ଅଧୀକ୍ଷକ ପଦରୁ ମଧ୍ୟ ହଟାଯାଇନଥିବା ନେଇ ପ୍ରଶ୍ନ ଉଠୁଛି। ସନ୍ତୋଷିନୀଙ୍କ ନୂଆ ଅଭିଯୋଗ ଏବଂ ଜେଲ୍‌ ଡିଜିଙ୍କ ଅଚାନକ ଗସ୍ତ ପରେ ପୂରା ଘଟଣାକ୍ରମ ଚୌଦ୍ୱାର ଜେଲ୍‌ ପ୍ରଶାସନକୁ ଅଧିକ ଅଡୁଆରେ ପକାଇଛି।

Related posts

୨୪ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ,  ମତ୍ସ୍ୟଜିବୀଙ୍କୁ ସମୁଦ୍ର ମନା 

mahabharatanews

ହଟ୍ଟଗୋଳ ଭିତରେ ୪ ବିଲ ପାରିତ

mahabharatanews

୯ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

mahabharatanews