(କଳାହାଣ୍ଡି) ; ବଳଦ ବିକ୍ରି କରିବାକୁ ଯାଇଥିଲେ ଆଉ ଘରକୁ ଫେରିନଥିଲେ । ପାଜିବାହାଲି ଛକ ନିକଟରେ ଦୁଇ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ମ.ରାମପୁର ଥାନା ପୁଲିସ । ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ତାଳକୁନା ଗ୍ରାମର ବିଶ୍ୱାମିତ୍ର ସୁନା ଓ କମଳ ବାଗ ଗତ ସୋମବାର ଦିନ ବାଲିପଡ଼ା ବଜାରକୁ ବଳଦ ବିକ୍ରି କରିବାକୁ ଯାଇଥିଲେ । କିନ୍ତୁ ବଳଦ ବିକ୍ରି କରିବାକୁ ଯାଇ ଆଉ ସେମାନେ ଘରକୁ ଫେରିନଥିଲେ । ସନ୍ଧ୍ୟା ୬ଟା ସମୟ ବେଳେ ଫୋନରେ ଯୋଗାଯୋଗ ହେଇଥିଲେ ହେଁ ତାପରେ ଆଉ ତାହା ସମ୍ଭବ ହୋଇନଥିଲା । ଉଭୟଙ୍କ ପରିବାର ବର୍ଗ ସୋମବାର ଏବଂ ମଙ୍ଗଳବାର ବହୁତ ଖୋଜାଖୋଜି କରିଥିଲେ କିନ୍ତୁ ଦୁଇଜଣଙ୍କର କିଛି ଖବର ମିଳିନଥିଲା । ନିଜର ବନ୍ଧୁବାନ୍ଧବଙ୍କ ସହିତ ମଧ୍ୟ ଯୋଗାଯୋଗ କରି ନିରାଶ ହେଇଥିଲେ । ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ କିଛି ଲୋକ ଜଙ୍ଗଲରେ ଦୁଇଟି ମୃତଦେହ ଓ ବାଇକ ପଡ଼ିଥିବା ଦେଖି ମ.ରାମପୁର ପୋଲିସକୁ ଖବର ଦେଇଥିଲେ ।ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଓ ବାଇକ୍ ଜବତ କରି ମ.ରାମପୁର ଡ଼ାକ୍ତରଖାନାକୁ ଶବ ଆଣିଥିଲା । ତେବେ ବାଇକଟି ଗଛରେ ପିଟି ହେବା ଫଳରେ ଉଭୟଙ୍କ ମୃତ୍ୟୁ ହେଇଥିବା କୁହାଯାଉଛି ଏବଂ ସୋମବାର ରାତିରେ ହିଁ ଏହି ଦୁର୍ଘଟଣା ପୁଣି ଜଙ୍ଗଲ ରାସ୍ତାରେ ହୋଇଥିବାରୁ କେହି ଖବର ପାଇନଥିଲେ । ମ.ରାମପୁର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି ।
