ସୌନ୍ଦର୍ଯ୍ୟର ପ୍ରତୀକ ଭାବେ ପରିଚିତ ସବୁଠାରୁ ପ୍ରତିଷ୍ଠିତ ମୁକୁଟ ‘ଫେମିନା ମିସ୍ ଇଣ୍ଡିଆ ୱାର୍ଲଡ ୨୦୨୬’କୁ ନିଜ ନାଁରେ କଲେ ଗୋଆର ପ୍ରତିଭାବାନ ସୁନ୍ଦରୀ ସାଧ୍ୱୀ ସତୀଶ ସୈଲ । ଶନିବାର କିଟ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଗ୍ରାଣ୍ଡ ଫିନାଲେରେ ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍ ଇଣ୍ଡିଆର ମୁକୁଟ ପିନ୍ଧିଛନ୍ତି ସାଧ୍ୱୀ । ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ୍ ମହାରାଷ୍ଟ୍ରର ରାଜନନ୍ଦିନୀ ପାୱାର, ଦ୍ବିତୀୟ ରନର୍ସ ଅପ୍ କେନ୍ଦ୍ରଶାସିତ ଅଞ୍ଚଳର ଅଦ୍ବୈତା ହୋଇଛନ୍ତି ।
ତେବେ ସାଧ୍ୱୀଙ୍କ ଏହି ସଫଳତା କେବଳ ଗ୍ଲାମର ଦୁନିଆରେ ସୀମିତ ନୁହେଁ, ବରଂ ତାଙ୍କର ଶିକ୍ଷାଗତ ପୃଷ୍ଠଭୂମି ମଧ୍ୟ ଅତ୍ୟନ୍ତ ପ୍ରେରଣାଦାୟୀ । ସାଧ୍ୱୀଙ୍କ ଶିକ୍ଷାଗତ ଯାତ୍ରା ଅମୃତା ବିଦ୍ୟାଳୟରୁ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ସେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ୟୁନିଭର୍ସିଟି ଅଫ୍ ବ୍ରିଟିଶ୍ କଲମ୍ବିଆ (UBC) ରୁ ଉଚ୍ଚଶିକ୍ଷା ହାସଲ କରିଥିଲେ । ଜଣେ ମଡେଲ୍ ସହିତ ସାଧ୍ୱୀ ଜଣେ ସଫଳ ମହିଳା ଉଦ୍ୟୋଗୀ ମଧ୍ୟ । କିଟ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଐତିହାସିକ ଗ୍ରାଣ୍ଡ ଫିନାଲେରେ ତାଙ୍କର ବୁଦ୍ଧିମତ୍ତା ଏବଂ ବ୍ୟକ୍ତିତ୍ୱ ସମସ୍ତଙ୍କୁ ପ୍ରଭାବିତ କରିଥିଲା । ସାଧ୍ୱୀ କେବଳ ଆକର୍ଷଣୀୟ ବ୍ୟକ୍ତିତ୍ୱ କି ସୁନ୍ଦରତା ପାଇଁ ନୁହେଁ, ବରଂ ନିଜର ମହତ୍ ମନୋଭାବ ପାଇଁ ମଧ୍ୟ ସମସ୍ତଙ୍କ ହୃଦୟ ଜିତିଛନ୍ତି । ଜଣେ ସଫଳ ମଡେଲ୍ ହେବା ସହ ସେ ଜଣେ ଜଣାଶୁଣା ସମାଜସେବୀ, ଯିଏ ଶିଶୁ କଲ୍ୟାଣ ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ଫାଉଣ୍ଡେସନ୍ ପାଇଁ ପାଣ୍ଠି ସଂଗ୍ରହ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସାଧ୍ୱୀ ବିଶେଷ କରି ଅପପୁଷ୍ଟିର ଶିକାର ହେଉଥିବା ଶିଶୁ ଏବଂ ଶ୍ରବଣ ଓ ବାକ୍ ଶକ୍ତିହୀନ ପିଲାମାନଙ୍କ ସହାୟତା ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି ।
