(ମହାଭାରତ/ସମ୍ବଲପୁର): ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲଲାଗିଥିଲା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆସନ୍ତା ୫ ତାରିଖ ରବିବାର ଦିନ ସମଗ୍ର ଜିଲ୍ଲାକୁ ଜିଲ୍ଲାପାଳ ଶୁଭମ ସକସେନା ସଟଡାଉନ ଘୋଷଣା କରିଛନ୍ତି । ଏହି ଦିନ ଜିଲ୍ଲାରେ ଯାନବାହନ ଚଳାଚଳ ଓ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିବ। ତେବେ ସେଥିରୁ ଡାକ୍ତରଖାନା,କ୍ଲିନିକ୍, ନର୍ସିଂହୋମ୍,ଔଷଧ ଦୋକାନ,ଆମ୍ବୁଲାନ୍ସ ଓ ଚିକିତ୍ସା କ୍ଷେତ୍ର ସହ ଜଡ଼ିତ କର୍ମଚାରୀଙ୍କୁ ବାଦ ଦିଆଯାଇଛି। ଏହାଛଡ଼ା ଜିଲ୍ଲା ଓ ମହାନଗର ନିଗମ (ଜରୁରୀ ସେବା),ପୋଲିସ, ଅଗ୍ନିଶମ ସେବା, ଜରୁରୀ କାର୍ୟ୍ୟରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ, ଟେଲିକମ୍ ସେବା, ପେଟ୍ରୋଲ୍ ପମ୍ପ, ଛାପା ଓ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମ, ଜଳଯୋଗାଣ,ପରିମଳ, ସ୍ବେରେଜ୍, ବିଦ୍ୟୁତ୍ ସେବା କର୍ମଚାରୀଙ୍କୁ ମଧ୍ୟ ସଟଡାଉନ କଟକଣାରୁ ବାଦ ଦିଆଯାଇଛି। ଏହାଛଡ଼ା ମାଲ୍ ପରିବହନ କରୁଥିବା ଗାଡ଼ି (ଭର୍ତ୍ତି ହେଉ ବା ଖାଲି), ଶିଳ୍ପ ସଂସ୍ଥା, କାରଖାନା ଓ ନିର୍ମାଣ କାର୍ୟ୍ୟକୁ ବାଦ ଦିଆଯାଇଛି। ଉକ୍ତ ଦିନ ଜିଲ୍ଲାରେ ବିନା ଜରୁରୀ କାର୍ୟ୍ୟରେ ସାଧାରଣ ଲୋକଙ୍କ ଘରୁ ବାହାରିବା ଓ ଅଣ ଜରୁରୀ ଦୋକାନ ବଜାର ଖୋଲିବା ଉପରେ କଟକଣା କଡ଼ାକଡ଼ି ଲାଗୁ ହେବ। ଉଲ୍ଲଂଘନକାରୀଙ୍କ ଉପରେ ଆଇନ୍ ଅନୁଯାୟୀ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଚେତାଇ ଦିଆଯାଇଛି।