ଭୁବନେଶ୍ୱର: ପୁଣି ଚର୍ଚ୍ଚାକୁ ଆସିଛନ୍ତି ଅନ୍ତରାଷ୍ଟ୍ରୀୟ ଆଥଲେଟ ଦୂତି । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ଦୂତି କହିଲେ ତାଙ୍କ ପ୍ରେମିକା ତାଙ୍କ ଜୀବନରେ ଆସିବା ପରେ ତାଙ୍କର ବହୁ ଉନ୍ନତି ହୋଇଛି । ୨୦୧୭ରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସେ ଉନ୍ନତି କରିଛନ୍ତି । ଏସିଆନ ଚାମ୍ପିଅନସିପ ହେଉ ଅବା ଏସିଆନ ଗେମ ସବୁଥିରେ ସେ ସଫଳ ହୋଇଛନ୍ତି । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ଦୂତି ତାଙ୍କ ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଉଥିବା ବେଳେ ଏବେ ପ୍ରେମିକାଙ୍କୁ ଦେଇଛନ୍ତି ଶ୍ରେୟ । ଏହାକୁ ନେଇ ତାଙ୍କ ଭଉଣୀ ସରସ୍ୱତୀ ଚାନ୍ଦ ମଧ୍ୟ ଫେସବୁକରେ ତାଙ୍କୁ କଟାକ୍ଷ କରିଛନ୍ତି । ଯାହା ଚର୍ଚ୍ଚାରେ ଘିଅର କାମ କରିଛି ।
ସରସ୍ୱତୀ ଗୋଟିଏ ପୋଷ୍ଟରେ ଉକ୍ତ ଇଣ୍ଟରଭ୍ୟୁକୁ ସେୟାର କରିବା ସହ ଉଲ୍ଲେଖ କରିଛନ୍ତି, ବିଭିନ୍ନ ଚ୍ୟାନେଲରେ ସାକ୍ଷାତକାର ଦେବା ଓ ବାପା ମା, ଭଉଣୀ ତଥା ଗାଁକୁ ଦୋଷ ଦେବା ଛାଡି ତାଙ୍କ ତାଲିମ ଉପରେ ଗୁରୁତ୍ୱ ଦେବା ଦରକାର । ସରସ୍ୱତୀ ଆହୁରି ଉଲ୍ଲେଖ କରିଛନ୍ତି, ସେ ଜଣେ ଭଲ ଆଥଲେଟ ହୋଇଥିବାରୁ ତାଙ୍କ ତାଲିମ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି, ଫଳରେ ସେ ଆହୁରି ଅଧିକ ସଫଳତା ହାସଲ କରି ପାରିବେ । ଆମେ ସମସ୍ତ ଗ୍ରାମବାସୀ ଦୂତିଙ୍କ ସଫଳତା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛୁ । ସରସ୍ୱତୀ ଏପରି କହିବାର ଦୁଇଟି କାରଣ ହୁଏତ ଥାଇପାରେ, ଗୋଟିଏ ସେ ଜଣେ ବଡ ଭଉଣୀ ଭାବେ ସାନ ଭଉଣୀକୁ ସମସ୍ତ ମତାନ୍ତର, ଖରାପ ସମ୍ପର୍କ ସତ୍ତେ୍ୱ ତାଗିଦ କରିଛନ୍ତି ଅନ୍ୟକୁ ଦୋଷ ଦେବା ବଦଳରେ ନିଜ କ୍ୟାରିୟର ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଅନ୍ୟ ଏକ କାରଣ, ଦୂତି ଉକ୍ତ ସାକ୍ଷାତକାରରେ ତାଙ୍କ ପରିବାର ବର୍ଗଙ୍କୁ ହୀନ ଦେଖାଇବାକୁ ଭୁଲିନଥିଲେ, ଯାହା ସରସ୍ୱତୀଙ୍କୁ ବ୍ୟଥିତ କରିଥିବ ।

ସେହିପରି ଅନ୍ୟ ଏକ ପୋଷ୍ଟରେ ସରସ୍ୱତୀ ସାମାନ୍ୟ ଆକ୍ରାମକ ହୋଇ ଦୂତିଙ୍କୁ ପଚାରିଛନ୍ତି, ପୂର୍ବରୁ ସତ୍ୟବାନ (ଦୂତି) କହୁଥିଲେ ତାଙ୍କ ଖେଳ ପାଇଁ ସିଏମ ଲକି, ଏବେ କହୁଛନ୍ତି ତାଙ୍କ ପ୍ରେମିକା । ତେଣୁ ପଚାରୁଛନ୍ତି କୋଉ ଖେଳ ପାଇଁ ପ୍ରେମିକାଙ୍କୁ ଶ୍ରେୟ ଦେଇଛନ୍ତି? ତେବେ ଏହା ତ ଦୁଇ ଭଉଣୀଙ୍କ ମଧ୍ୟର ତୁ ତୁ ମେଁ ମେଁ । ଏଥିରେ ଆମର କିଛି କହିବାର ନାହିଁ । ସାମାଜିକ ଗଣମାଧ୍ୟମରେ ଏହାକୁ ଦେଖି ଏମିତି କିଛି ଲେଖିଦେଲୁ ।
