ବୁର୍ଲା: ଦେଶରେ କରୋନା ସଂକ୍ରମଣ ଧୀରେଧୀରେ ଭୟଙ୍କର ହେବାରେ ଲାଗିଛି । ଏପରି ସମୟରେ କିନ୍ତୁ ବିଭିନ୍ନ ରାଜ୍ୟରେ ଫସିରହିଥିବା ପ୍ରବାସୀଙ୍କୁ ସେମାନଙ୍କ ନିଜ ରାଜ୍ୟକୁ ଫେରାଇ ନିଆଯାଉଛି । ଏହି ପ୍ରବାସୀ ରାଜ୍ୟରେ ପହଞ୍ଚିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଉଛି । ତେବେ କିଛି ଅମାନିଆ କ୍ୱାରେଣ୍ଟାଇନରୁ ଖସି ଯିବାରୁ ସେମାନଙ୍କୁ ଚିହ୍ନଟ କରିବାକୁ ବା ଲୋକଙ୍କୁ ସେମାନଙ୍କ ସମ୍ପର୍କରେ ଅବଗତ କରିବା ଲକ୍ଷ୍ୟରେ ସରକାର ସେମାନଙ୍କ ହାତରେ ଅଲିଭା କାଳିରେ ଷ୍ଟାମ୍ପ ଲଗାଉଛନ୍ତି । ଏବେ କିନ୍ତୁ ସେହି ଅଲିଭା କାଳି ଦ୍ୱାରା ପ୍ରବାସୀଙ୍କ ହାତରେ ଘା ହେଉଥିବା ଦେଖିବାକୁ ମିଳିଛି । ଷ୍ଟାମ୍ପ ଲାଗିଥିବା ଜାଗାରେ ଚମଡା ଉଠି ଘା ହେଉଛି । ଏପରି ଘଟଣା ଦେଖିବାକୁ ମିଳିଛି ବୁର୍ଲା ସହରରେ ।
ମହାରାଷ୍ଟ୍ର ରୁ ଵୁର୍ଲା ସହରକୁ ଫେରିଥିଵା ଜନୈକ ଯୁବକ ନିଜ ନାମ କୋଭିଡ଼-୧୯ରେ ପଞ୍ଜିକରଣ କରି ଥିଲେ। ତାଙ୍କୁ ନିୟମ ମୁତାବକ ସଙ୍ଗରୋଧ କେନ୍ଦ୍ରରେ ରଖା ଯାଇଥିଲା । ନିୟମ ମୁତାବକ ଯୁବକଙ୍କ ହାତରେ ଷ୍ଟାମ୍ପ ମରାଯାଇଥିଲା। ମାତ୍ର କିଛି ଦିନ ପରେ କାଳିଚିହ୍ନର ଚାରି ପାଖରେ ଚମଡା ଉଠି ଯାଇ ଖଣ୍ଡିଆ ହୋଇଯାଇଛି । କାଳିର କୌଣସି ରାସାୟନିକ ପ୍ରତିକ୍ରିୟାରେ ଏଭଳି ହୋଇ ଥିବା ଅନୁମାନ କରାଯାଉଛି। ଏବେ ଯୁବକଙ୍କ ଏହି ଘା’ର ଚିକିତ୍ସା କରାଯାଉଥିବା ଜଣାପଡିଛି।
previous post