ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ଦିନକୁ ଦିନ କମିବା ବଦଳରେ ବଢିବାରେ ଲାଗିଛି । ଗୋଟିଏ ପଟେ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ଜାରି ରହିଥିବା ବେଳେ ଅନ୍ୟପଟେ ଏଲଏସିରେ ଯୁଦ୍ଧ ପରିସ୍ଥିତି ଦେଖିବାକୁ ମିଳିଛି । ଭାରତ ଆପୋଷ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଚାହୁଁଥିବା ବେଳେ କିନ୍ତୁ ଚୀନ ହିଂସା ପାଇଁ ଉସକାଉଛି । ଏପରି ସ୍ଥିତିରେ ଭାରତୀୟ ସେନା ଏବେ ଏଲଏସିରେ ସମସ୍ତ ଅସ୍ତ୍ରଶସ୍ତ୍ର ଓ ସେନା ଲଗାତାର ନିୟୋଜିତ କରିଛି । ଏଲଏସିର ଗଲୱାନ ଘାଟି, ହଟ ସ୍ପ୍ରିଙ୍ଗ ଦେପସଙ୍ଗ, ପେଙ୍ଗଗୋଙ୍ଗ ଓ ସିକ୍କିମରେ ଉଭୟ ଦେଶର ସେନା ସମ୍ନାସାମ୍ନି ଛିଡା ହୋଇଛନ୍ତି ।
ଚଣ୍ଡୀଗଡ଼ ଏୟାରବେଶରେ ଭାରତୀୟ ବାୟୁସେନାର ସି-୧୭ ଗ୍ଲୋବମାଷ୍ଟର ଲଦାଖ ନେଇଯିବା ପାଇଁ କାର୍ଗୋ ଉଠାଉଛି । ଏଥିରେ ଟି-୯୦ ଟ୍ୟାଙ୍କ ଲୋଡ଼ କରାଯାଉଛି । ଏହାର ଓଜନ ପାଖାପାଖି ୪୬ ଟନ ରହିଛି । ଏହାକୁ ଏୟାରଲିଫ୍ଟ କରିବା ପାଇଁ ଗୋଟିଏ ପଟୁ ପାଖାପାଖି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଉତ୍ତର ଭାରତରେ ସେନା ଛାଉଣୀ ଏବଂ ଏୟାରବେଶରେ ଗତ ମାସେ ହେଲା ପ୍ରାୟ ସବୁ ଜାଗାରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଲଦାଖ ସୀମାରେ ଆର୍ଟିଲେରୀ ଗନ, ବିମାନ ଉପରେ ନଜର ରଖୁଥିବା ରାଡ଼ାର, ଫ୍ରଣ୍ଟଲାଇନ ଫିତର ଜେଟ ଏବଂ ହେଲିକେପ୍ଟର ପଠାଯାଉଛି । କୁହାଯାଉଛି ଯେ ଲଦାଖ ସୀମାରେ ପାଖାପାଖି ୪୫ ହଜାର ସେନାଙ୍କୁ ପ୍ରସ୍ତୁତ କରାଯାଉଛି । ସେପଟେ ଚୀନ ସେନା ମଧ୍ୟ ଏଲଏସିରେ ନିଜର ସାମର୍ଥ୍ୟ ବଢାଉଛି । ଚୀନ ସେନା, ଟ୍ୟାଙ୍କ, ମିସାଇଲ ଓ ଯୁଦ୍ଧ ବିମାନ ନିୟୋଜିତ କରିଛି ବୋଲି କୁହାଯାଉଛି । ତାଛଡା ଚୀନ ଭାରତ ସୀମାରେ ଇନଫ୍ରାଷ୍ଟ୍ରକ୍ଚର ପ୍ରସ୍ତୁତ କରୁଛି । ମିଡ଼ିଆ ରିପୋର୍ଟରେ ଦାବି କରାଯାଇଛି ଯେ ଚୀନ ପେନସୋଙ୍ଗ ସୋ ରେ ଫିଙ୍ଗର ୪ ନିକଟରେ ହେଲିପ୍ୟାଡ଼ ମଧ୍ୟ ପ୍ରସ୍ତୁତ କରିଛି ।
previous post