ଓଡିଶାରାଜନୀତି

ସଞ୍ଜୟ ଓ ପ୍ରଣବଙ୍କ ନାମରେ ଏତଲା କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ନବରଙ୍ଗପୁର (ଟୁକୁନା ଖୁରା): ଗତ ୨୦୨୧ ଫେବୃଆରୀ ୧ତାରିଖରେ ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ପରିସରରେ କୃଷକ ସୂଚନା କେନ୍ଦ୍ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ କୃଷକ, ବିଜେପି ଓ କଂଗ୍ରେସ ନେତାଙ୍କୁ ଦୁଇ ବିଜେଡି ନେତାଙ୍କ ଆକ୍ରମଣ ଘଟଣାରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ନାମରେ ନବରଙ୍ଗପୁର ଥାନାରେ ମାମଲା ରୁଜୁ କରାଯାଇଛି ।

ସେମାନଙ୍କ ବିରୋଧରେ ୧୪୩, ୧୪୭, ୩୨୩, ୩୫୪, ୧୪୯ ଓ ଏସସି/ଏସଟି ଆକ୍ଟରେ ମାମଲା ରୁଜୁ ହୋଇଛି । ସୂଚନାନୁସାରେ, ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ପରିସରରେ କୃଷକ ସୂଚନାକେନ୍ଦ୍ର ଉଦଘାଟନୀ କାର୍ଯ୍ୟକ୍ରମରେ କର୍ମୀମାନଙ୍କ ଗହଣରେ ଦୁଇ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ ସଞ୍ଜୟ କୁମାର ଦାସବର୍ମା ଆସିଥିଲେ । ସେହି ସମୟରେ କୃଷକ ମାନେ କିଛି ସମସ୍ୟା ନେଇ ପ୍ରତିବାଦ କରିଥିଲେ । କିନ୍ତୁ ସେମାନଙ୍କ ସମସ୍ୟା ବୁଝିବା ବଦଳରେ ଉଦଘାଟନୀ ସ୍ଥଳରେ ଦୁଇ ନେତା କର୍ମୀମାନଙ୍କ ସହିତ ଧସେଇ ପଶିଥିଲେ । ପୁଣି ଉଭୟ ବିଜେପି ଓ କଂଗ୍ରେସ ଦଳ ନେତା ଓ କୃଷକ ଏପରିକି ମହିଳାମାନଙ୍କୁ ମଧ୍ୟ ଠେଲାପେଲା କରିବା ଓ ମାଡ଼ ମାରିବା ଅଭିଯୋଗ ହୋଇଥିଲା ।

ଏହି ଘଟଣାରେ ବିଜେପି ନେତା ଗୌରୀ ଶଙ୍କର ମାଝୀ ନବରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ପୋଲିସ ସେମାନଙ୍କ ଏତଲା ଗ୍ରହଣ କରିନଥିଲେ । ଫଳରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଗୌରୀ ଶଙ୍କର । ଯାହାକୁ ନେଇ ନବରଙ୍ଗପୁର ଦୌରା ଜଜ୍ ସଞ୍ଜିବ ଦୁବେ ୫ଜଣ ସାକ୍ଷ୍ୟ ଗ୍ରହଣ ପରେ ସେମାନଙ୍କ ନାମରେ ମାମଲା ରୁଜୁ କରିବାକୁ ନବରଙ୍ଗପୁର ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ତେଣୁ ପୋଲିସ ଦୁଇ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଏବଂ ସଞ୍ଜୟ କୁମାର ଦାସବର୍ମାଙ୍କ ନାମରେ ୫ଟି ଦଫାରେ ମାମଲା ରୁଜୁ ହୋଇଛି । ଡିଏସପି ଯୁଗଳ ମଲ୍ଲିକ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

 

 

Related posts

ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

mahabharatanews

ପୋଖରୀ ଖୋଳା ବେଳେ ବିସ୍ଫୋରଣ

mahabharatanews

ରୋଗୀଙ୍କୁ ଏକ୍ସପାଏରୀ ସାଲାଇନ ଦେବାକୁ ନେଇ ଉତ୍ତେଜନା

mahabharatanews