ବିଶ୍ୱ

ସଫଳ ପ୍ରସ୍ତୁତ ଚଳଚ୍ଚିତ୍ର ‘ଅଦ୍ୱିତୀୟ’ ଆନ୍ତର୍ଜାତୀୟ ସ୍ତରରେ ଦୁଇଟି ବର୍ଗରେ ପୁରସ୍କୃତ ହୋଇଛି

ଗଞ୍ଜମ / ରଜନୀକାନ୍ତ ପାତ୍ର: ଆଫିକା ମହାଦେଶରେ ଆୟୋଜିତ ହୋଇଯାଇଛି “ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ସମାରୋହ” । ଆଫ୍ରିକା ମରିସସ୍ ଫିଲ୍ମ ଡେଭେଲପମେଣ୍ଟ ଆସୋସିଏସନ୍ ଏବଂ ଆଇ.ଓ.ଏଫ୍.ଏ. ର ମିଳିତ ସହଯୋଗରେ ପୋର୍ଟ ଲୁଇସ୍ ଠାରେ ଥିବା ଇନ୍ଦିରା ଗାନ୍ଧୀ ସେଣ୍ଟର୍ ଫର୍ ଇଣ୍ଡିଆନ୍ କଲଚର୍ (ଆଇ.ଜି.ସି.ଆଇ.ସି.)’ର ସମ୍ମିଳନୀ କକ୍ଷରେ ଏହି ସମାରୋହ ମହା ଆଡମ୍ବରରେ ଅନୁଷ୍ଠିତ ହୋଈ ଯାଇଛି । ଏହି ଚଳଚ୍ଚିତ୍ର ମହୋତ୍ସବର ବିଚାରକ ମଣ୍ଡଳୀରେ ରହିଥିଲେ କାଲିଫର୍ଣ୍ଣିଆର ଜୁରି ମେମ୍ବର କାର୍ଲୋସ କୋଏହ୍ଲୋ କୋଷ୍ଟା, ଲସ୍ ଏଞ୍ଜେଲସର ଜୁରି ମେମ୍ବର ଜାସନ ହାଣ୍ଡରସନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଜୁରି ମେମ୍ବର ଲେସଲି ଷ୍ଟ୍ରେଟ । ଆଇ.ଜି.ସି.ଆଇ.ସି.ର ନିର୍ଦ୍ଦେଶିକା ଶ୍ରୀମତି କାଦମ୍ବିନୀ ଆଚାର୍ୟ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ମହୋତ୍ସବରେ ଆମେରିକା, ଫ୍ରାନ୍ସ, ଜର୍ମାନୀ, ଇଂଲଣ୍ଡ, ଭାରତ ଭଳି ବିଶ୍ଵର ପ୍ରାୟ ୨୦ରୁ ଉର୍ଦ୍ଧ୍ବ ପ୍ରମୁଖ ଦେଶର ଫିଲ୍ମ ନିର୍ମାତା ଭାଗ ନେଇଥିଲେ । ଏହି ମହୋତ୍ସବରେ ପ୍ରାୟ ୬ଟି ଦେଶର ପ୍ରତିଯୋଗୀ ପୁରସ୍କାର ଲାଭ କରିଛନ୍ତି । ଏହି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ହିଞ୍ଜିଳିକାଟୁ ସ୍ଥିତ ‘ନୃତ୍ୟମ କଳା ଗବେଷଣା କେନ୍ଦ୍ର’ ଦ୍ଵାରା ପ୍ରସ୍ତୁତ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ‘ଅଦ୍ୱିତୀୟ’ କୁ ଦୁଇଟି ବର୍ଗରେ ପୁରସ୍କାର ମିଳିଛି। ଶ୍ରେଷ୍ଠ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ପାଈଁ ‘ଅଦ୍ୱିତୀୟ’ ଚଳଚ୍ଚିତ୍ରର ନିର୍ମାତା ତଥା ନିର୍ଦ୍ଦେଶକ କ୍ରିଷ୍ଣା ଡି.କେ.ଙ୍କୁ ଏବଂ ଶ୍ରେଷ୍ଠ କାହାଣୀ ପାଈଁ ଲେଖକ ସୀମାଞ୍ଚଳ ମହାରଣାଙ୍କୁ ପୁରସ୍କୃତ କରିଛନ୍ତି ମୂଖ୍ୟ ଅତିଥି ତଥା ଲଣ୍ଡନର ସୁନାମ ଧନ୍ୟ ସିନେମା ଲେଖକ ବିଜୟରାମ ଏବଂ ଚଳଚ୍ଚିତ୍ର ମହୋତ୍ସବର ନିର୍ଦ୍ଦେଶକ ବରୁଣ ନୁନକୁ ଓ ସଚିବ କବିରାଜ ଭୁଞ୍ଜନ୍ । ଗଞ୍ଜାମ ଜିଲ୍ଲାର ଆସିକା ଥାନା, ହିଞ୍ଜିଳିକାଟୁ ଥାନା ଓ ଶେରଗଡ଼ ଥାନାରେ ଚଳଚ୍ଚିତ୍ର ‘ଅଦ୍ୱିତୀୟ’ର ଦୃଶ୍ୟ ସବୁ ଉତ୍ତୋଳନ କରାଯାଇଛି। ଭାରତ ବର୍ଷର ଶ୍ରେଷ୍ଠ ଥାନା ଭାବେ ବିବେଚିତ ହୋଇଥିବା ଆସିକା ଥାନା ଓ ଏହାର ସେବା ବିଷୟରେ କାହାଣୀଟି ପ୍ରସ୍ତୁତ ହୋଇଛି। ଏହି ଚଳଚ୍ଚିତ୍ରର ମୂଳ ବିଷୟ ବସ୍ତୁ ରହିଛି ଆଇନ ଶୃଙ୍ଖଳା ଓ ମାନବିକତା । ଏହି ଚଳଚ୍ଚିତ୍ରର ସହକାରୀ ନିର୍ଦ୍ଦେଶକ ହେଉଛନ୍ତି ରାମକୃଷ୍ଣ ସାହୁ ଓ ବିବେକ ଡାକୁଆ, ସିନେମାଫଟୋଗ୍ରାଫର ହେଉଛନ୍ତି ମୋହିତ ତ୍ରିପାଠୀ, ଏଡ଼ିଟର ହେଉଛନ୍ତି ଦେବାଶିଷ ମହାରଣା, ବାଲୁକା କଳା ଦୃଶ୍ୟ ପ୍ରସ୍ତୁତ କରିଥିଲେ ସତ୍ୟ ନାରାୟଣ ମହାରଣା । ଡି.କେ. ଫିଲ୍ମର ସଦସ୍ୟା ସଞ୍ଚିତା, କାଜଲ ବେହେରା, ପ୍ରାଯକ୍ତା, ବିଜୟା ପ୍ରମୁଖ ସହଯୋଗ କରିଥିଲେ । ମଫସଲରେ ପ୍ରସ୍ତୁତ ଚଳଚ୍ଚିତ୍ର ‘ଅଦ୍ୱିତୀୟ’ ଆନ୍ତର୍ଜାତୀୟ ସ୍ତରରେ ଦୁଇଟି ବର୍ଗରେ ପୁରସ୍କୃତ ହୋଇ ଦେଶ ଓ ରାଜ୍ୟ ପାଈଁ ଗୌରବ ଆଣିଥିବାରୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

Related posts

ଭାରତକୁ ନେଇ ଆମେରିକାର ମନ୍ତବ୍ୟ

mahabharatanews

ଚୀନରେ ଭୟଙ୍କର ବିସ୍ଫୋରଣ

mahabharatanews

ଆର୍ଥିକ ସଂକଟରେ ଶ୍ରୀଲଙ୍କା

mahabharatanews