(ଢେଙ୍କାନାଳ) : ଆସନ୍ତାକାଲିଠୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ ହେବାକୁ ଯାଉଛି । ଆସନ୍ତା ୨୨ରୁ ୨୪ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ପାଳିତ ହେବ ଏହି ମେଳା । ଏଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥାମାନ ମଧ୍ୟ କରାଯାଇଛି । ମାଘମାସରେ ମହିମା ସାଧୁଙ୍କ ମନ୍ତ୍ରରେ ପ୍ରକମ୍ପିତ ହେବ ମହିମା ପୀଠ । ସେଥିପାଇଁ ସଜେଇ ହେଲାଣି ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦୀ ପୀଠ । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସରିବା ସହିତ ଟ୍ରାଫିକ୍ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ଏବଂ ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ନେଇ ଢେଙ୍କାନାଳ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସୂଚନାନୁଯାୟୀ , ଯୋରନ୍ଦା ମହିମାଗାଦୀ ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ମହିମା ଭକ୍ତ ଓ ସାଧୁସନ୍ଥଙ୍କର ଆଗମନ ଆରମ୍ଭ ହେଲାଣି । ବିଶ୍ୱର ମଙ୍ଗଳ କାମନା ଉଦ୍ଦେଶ୍ୟରେ ୨ ଦିନ ଧରି ଜଳିବ ଝାଡଦୀପ। ସୂର୍ଯ୍ୟଙ୍କୁ ପୂଜାରୁ ନେଇ ସମସ୍ତ ନୀତି ପାଳିବେ ମହିମାଧର୍ମୀ ମାନେ । ଏହି ଅବସରରେ ମୁଖ୍ୟ ଆକର୍ଷଣ ପାଲଟିବ ଝାଡଦୀପ । ମହଣ ମହଣ ଘିଅରେ ଆହୂତି ଦିଆଯିବ । ଚଳିତ ବର୍ଷ ୪ଲକ୍ଷ ଭକ୍ତ ସମାଗମ ହେବାକୁ ଥିବାବେଳେ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମେଳାଟି ବିଗତ ଦିନ ଅପେକ୍ଷା ଆହୁରି ଭଲରେ ହୋଇପାରିବ ସେନେଇ ଚେଷ୍ଟା କରାଯାଇଛି।