(ଖୋର୍ଦ୍ଧା) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ । ପାଚିଲା ଧାନ ଜଗିବାକୁ ଯାଇ ଚାଲିଗଲା ଜୀବନ । ଫଳରେ ହାତୀ ଦଳିଦେବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ରାମଚନ୍ଦ୍ରପୁର ପଞ୍ଚାୟତରେ ।
ସୂଚନାନୁଯାୟୀ , ମୃତକ ଦୁଇଜଣ ହେଲେ ବରିକୋ ଗ୍ରାମର ଲକ୍ଷ୍ମୀଧର ବେହେରା ଓ ପାରି ଓରଡ଼ ଗ୍ରାମର କୃଷ୍ଣ ଚନ୍ଦ୍ର ପ୍ରଧାନ । ସୂଚନା ଅନୁସାରେ ଗତକାଲି ରାତିରେ ଟାଙ୍ଗୀ ବନାଞ୍ଚଳ ବରିକୋ ଗ୍ରାମ ନିକଟରେ ୩ଟି ଜଙ୍ଗଲୀ ହାତୀ ଆତଙ୍କ ଭିଆଇଥିଲେ । ଏହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମନରେ ଆତଙ୍କ ଖେଳି ଯାଇଥିଲା । ଲୋକେ ଧାନ ଜମିକୁ ସୁରକ୍ଷା ଦେବା ପାଇଁ ଏକାଠି ହେଉଥିବା ବେଳେ ବରିକୋ ଗ୍ରାମର ଲକ୍ଷ୍ମୀଧର ବେହେରା ଓ ପାରି ଓରଡ଼ ଗ୍ରାମର କୃଷ୍ଣ ଚନ୍ଦ୍ର ପ୍ରଧାନ ସାଙ୍ଗ ହୋଇ ଚାଷ ଜମିକୁ ଯାଇଥିଲେ । ଚାଷ ଜମି ନିକଟରେ ଦୁହେଁ ବସିଥବା ବେଳେ ହାତୀ ପଲ ଆକ୍ରମଣ କରିଥିଲେ । ଫଳରେ ଚାଷ ଜମିରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା । ପୁଲିସ ସହ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।