ଓଡିଶା

ଅନଲକ୍-୪ ପାଇଁ ଗାଇଡଲାଇନ ଜାରି: ସଟ୍ ଡାଉନ ହଟିଲା, ବନ୍ଦ ରହିବ ଶିକ୍ଷାନୁଷ୍ଠାନ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟ ସରକାର ଅନଲକ୍-୪ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ସେପ୍ଟେମ୍ବର ପହିଲାରୁ ୩୦ ତାରିଖ ପର୍ଯ୍ୟନ୍ତ କରୋନା କଟକଣା ସଂକ୍ରାନ୍ତ ବିଜ୍ଞପ୍ତି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଛି । ଏହି ଗାଇଡଲାଇନ ଅନୁସାରେ ସ୍କୁଲ. କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିବ । ଅକ୍ଟୋବର ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ଅନ୍ୟ ଶିକ୍ଷାନୁଷ୍ଠାନ, ଟ୍ରେନିଂ ଓ କୋଚିଂ ଅନୁଷ୍ଠାନ ଇତ୍ୟାଦିରେ ଶିକ୍ଷାଦନ ବନ୍ଦ ରହିବ । ତେବେ ପରୀକ୍ଷା, ଖାତାଦେଖା ଓ ଅନ୍ୟ ପ୍ରଶାସନିକ କାର୍ଯ୍ୟ ଚାଲିପାରିବ । ଜାରି ବିଜ୍ଞପ୍ତିରେ କୁହାଯାଇଛି, ଆସନ୍ତାମାସରେ ଲକ୍ଡାଉନ୍ କେବଳ ଅବରୋଧ ଅଞ୍ଚଳ ଭିତରେ ହିଁ ସୀମିତ ରହିବ। ପୂର୍ବଭଳି ଜିଲ୍ଲାପାଳ, ପୌର କମିସନର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ। ଏହି ଅଞ୍ଚଳ ଭିତରେ କେବଳ ଅତ୍ୟାବଶ୍ୟକ କାରବାରକୁ ଅନୁମତି ଦିଆଯିବ। ତେବେ କୌଣସି ପରିସ୍ଥିତିରେ ଅବରୋଧ ଅଞ୍ଚଳ ବ୍ୟତୀତ ଅନ୍ୟସ୍ଥାନରେ ଲକ୍ଡାଉନ୍ ବା ସଟ୍ ଡାଉନ୍ କରାଯାଇପାରିବ ନାହିଁ। ଅତି ଗୁରୁତର ସ୍ଥିତିରେ ଏ ସଂକ୍ରାନ୍ତରେକେନ୍ଦ୍ର ସରକାରଙ୍କ ଅନୁମତି ଆଣିବାକୁ ହେବ।
ବିଜ୍ଞପ୍ତିରେ କୁହାଯାଇଛି ଯେ ସେପ୍ଟେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ଧାର୍ମିକ ଅନୁଷ୍ଠାନ ଗୁଡିକ ବନ୍ଦ ରହିବ। ସୁଇମିଂ ପୁଲ୍, ପାର୍କ, ସିନେମା ହଲ, ଆମୋଦ ପ୍ରମୋଦ ଉଦ୍ୟାନ, ଥିଏଟର, ସମ୍ମେଳନ କକ୍ଷ, ରାଜନୈତିକ ସଭା,ଶିକ୍ଷା ସମାବେଶ, ସାଂସ୍କୃତିକ କାର୍ୟ୍ୟକ୍ରମ ଆଦିକୁ ଅନୁମତି ନାହିଁ। ତେବେ ମୁକ୍ତାକାଶ ଥିଏଟରକୁ ସେପ୍ଟେମ୍ବର ୨୧ ତାରିଖ ପରେ ଅନୁମତି ପ୍ରଦାନ କରାଯିବ। ସେହିଭଳି ପୂଜାଛୁଟି ଯାଏ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର,କୋଚିଂ ସେଣ୍ଟର ଆଦି ବନ୍ଦ ରହିବ।
ସେହିଭଳି ପରୀକ୍ଷା ଏବଂ ମୂଲ୍ୟାୟନ କରାଯାଇପାରିବ। ସେପ୍ଟେମ୍ବର ୨୧ ତାରିଖ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ୫୦ ପ୍ରତିଶତ ଶିକ୍ଷକ ଓ ଅଣଶିକ୍ଷକଙ୍କୁ କେବଳ ଅନ୍ଲାଇନ୍ ପାଠପଢା଼ ପାଇଁ ଅନୁମତି ମିଳିବ।
କୋଭିଡ୍ କଟକଣା କ୍ଷେତ୍ରରେ ପୂର୍ବରୁ ଜାରି ହୋଇଥିବା ନିର୍ଦେଶ ଅନୁଯାୟୀ ସରକାରୀ ଅଫିସ, ବେସରକାରୀ କାର୍ୟ୍ୟାଳୟ ଆଦି ଚାଲିବ। ଏହାର ଉଲ୍ଲଂଘନ ହେଲେ ସଂସ୍ଥାର ମୁଖ୍ୟଙ୍କ ବିରୋଧରେ ୨୦୦୫ ବିପର୍ୟ୍ୟୟ ପରିଚାଳନା ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୋକାନ ବଜାର, ବ୍ୟାବସାୟିକ ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନ,ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକ ଖୋଲାରହିବ। କିନ୍ତୁ ସେମାନେ ସାମାଜିକ ଦୂରତା ପାଳନ କରିବେ ଓ ନିୟମିତ ବିଶୋଧନ କରିବେ। ଏହାବ୍ୟତୀତ କର୍ମଚାରୀଙ୍କ ହାତ ଧୋଇବା ପାଇଁ ପର୍ୟ୍ୟାପ୍ତ ବ୍ୟବସ୍ଥା କରିବେ। ଅଫିସରେ ଯେଭଳି ଅଧିକ ସଂଖ୍ୟକ କର୍ମଚାରୀ ନ ହେବେ, ତାହାର ଅଡିଟ୍ କରାଯିବ। ସେଲୁନ୍, ସ୍ପା, ବ୍ୟୁଟି ପାର୍ଲର, ଭଣ୍ଡାରୀ ଦୋକାନ ସବୁ ପ୍ରକାର କୋଭିଡ୍ ନିୟମ ପାଳନ କରି ଦୋକାନ ଖୋଲିବେ। ୬୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବା ୧୦ବର୍ଷରୁ କମ୍ ବୟସର ପିଲା, ଗର୍ଭବତୀ ମହିଳା, ଏକାଧିକ ରୋଗରେ ପୀଡିତ ବ୍ୟକ୍ତି ବାହାରକୁ ବାହାରିପାରିବେ ନାହିଁ। ଏହାସହିତ ପୂର୍ବରୁ ଜାରି ରହିଥିବା କରୋନା କଟକଣା ମଧ୍ୟ ବଳବତ୍ତର ରହିବ ବୋଲି ସୂଚନା ମିଳିଛି।

Related posts

ସାଇକୋ ଲେଡିକୁ ନେଇ କଲେ ଖୁଲାସା: ଆଦିତ୍ୟଙ୍କ ବାପା

mahabharatanews

୯୬ ନୂତନ ପଜିଟିଭ ଚିହ୍ନଟ ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯

mahabharatanews

ରାଜ୍ୟରେ କଡ଼ାକଡ଼ି ହେଉଛି ସୁରକ୍ଷା ବ୍ୟବସ୍ଥା 

mahabharatanews

Leave a Comment