(ନୂଆଦିଲ୍ଲୀ): ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ମାମଲାରେ ଉତ୍ତରପ୍ରଦେଶ ସରକାର ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ହିଂସା ରୋକିବାକୁ ରାତିରେ ପୀଡ଼ିତାଙ୍କ ଶବର ସତ୍କାର କରାଯାଇଥିଲା ବୋଲି ଏଥିରେ ଦର୍ଶାଯାଇଛି । ତେବେ ତରବରିଆ ଭାବେ ଅଧ ରାତିରେ ପୀଡିତାଙ୍କ ଅନ୍ତିମ ସଂସ୍କାର କାହିଁକି କରାଗଲା ତାହାର ରହସ୍ୟ ଜାଣିବାକୁ ଦେଶବାସୀ ଇଚ୍ଛୁକ । ସୁପ୍ରିମକୋର୍ଟ ମଧ୍ୟ ଏଭଳି ଅନୁରୁପ ପ୍ରଶ୍ନ ୟୁପି ସରକାରଙ୍କୁ କରିଛନ୍ତି । ଯାହାର ଉତ୍ତର ରଖିଛନ୍ତି ଯୋଗୀ ସରକାର।
ଏହି ମାମଲାକୁ ନେଇ ଏକ ବଡ ଧରଣର ହିଂସାକାଣ୍ଡ ହେବାର ଆଶଙ୍କା ଥିଲା । ସକାଳେ ଲକ୍ଷାଧିକ ଲୋକ ଏକାଠି ହୋଇ ହିଂସା କରିବାର ଆଶଙ୍କା ଥିବା ନେଇ ଗୁପ୍ତ ସୂଚନା ମିଳିଥିଲା । ଏଭଳି ପରିସ୍ଥିତିକୁ ଏଡାଇବା ପାଇଁ ରାତିରେ ଶବ ସତ୍କାର ପାଇଁ ଜିଲ୍ଲା ପ୍ରଶାସନ ପୀଡିତାର ପରିବାରକୁ ବୁଝାଇ ଅନ୍ତିମ ସଂସ୍କାର କରିଥିଲେ ବୋଲି ୟୁପି ସରକାର ସୁପ୍ରିମକୋର୍ଟଙ୍କୁ ଜବାବ ଦେଇଛନ୍ତି । ଏହି ମାମଲାକୁ ଜାତିଆଣ ଓ ସାଂପ୍ରଦାୟିକ ରଙ୍ଗ ଦିଆଯାଉଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବଦନାମ କରିବାକୁ ଏକ ପ୍ରଚାର ଅଭିଯାନ ଚାଲିଛି । ଏଣୁ ମାମଲାର ନିରପେକ୍ଷ ଓ ସ୍ବଚ୍ଛ ତଦନ୍ତ ପାଇଁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦିଅନ୍ତୁ । ଏହା ସହିତ କୋର୍ଟ ଏହି ମାମଲାର ତଦାରଖ କରନ୍ତୁ ବୋଲି ୟୁପି ସରକାର ନିଜ ସତ୍ୟପାଠରେ ଦର୍ଶାଇଛନ୍ତି ।
previous post
next post
