ବାଲୁଗାଁ/ଦିବ୍ୟକାନ୍ତ ବେହେରା: ଖୋର୍ଦ୍ଧାଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଥାନା ଅଧିନସ୍ଥ ବିଭିନ୍ନ ଅଞ୍ଚଳ ଏବେ ଅସୁରକ୍ଷିତ ସହର ପାଲଟିଛି। ବାଲୁଗାଁ ପର୍ୟ୍ୟଟନ କ୍ଷେତ୍ର ଏବଂ ବେପାର ବାଣିଜ୍ୟର ଗନ୍ତାଘର। ଅନେକ ଧନିକ ଶ୍ରେଣୀର ଲୋକମାନେ ଏହି ସହରରେ ବସବାସ କରୁଥିବାବେଳେ ବର୍ତ୍ତମାନ ସମୟରେ ବାଲୁଗାଁ ସହରକୁ ଅସୁରକ୍ଷିତ ବୋଲି ମନେ କରୁଛନ୍ତି। ଚୋର ଡକାୟତମାନେ ଏବେ ବାଲୁଗାଁ ମୁହାଁ। ପୋଲିସ୍ କୁ ଖୋଲା ଚ୍ୟାଲେଞ୍ଜ୍ ଦେଇ ଦିନ ହେଉକି ରାତି କାହାକୁ ଖାତିର ନ କରି କରୁଛନ୍ତି ଲୁଟ୍। କୌଣସି ଲୋକ କେମିତି ଘର ଛାଡି ଯିବ ଆଉ ବିନା ଦ୍ଵିଧାରେ କରିବେ ଲୁଟ୍। ସତେ ଯେମିତି ଘର ମାଲିକଙ୍କ ପାଦକୁ ଚାହିଁ ବସିଛନ୍ତି ଡକାୟତମାନେ।
ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ବାଲୁଗାଁ ସ୍ଥିତ ଗୋପୀନାଥପୁର ସାହିର ଦୁର୍ଗା ଶଙ୍କର ପ୍ରସାଦ ମିଶ୍ରଙ୍କ ଘରୁ ଗ୍ରୀଲ୍ ତାଡି ଘରକବାଟ ଭାଙ୍ଗି ଲକ୍ଷାଧିକଟଙ୍କାର ସୁନା , ଲାପଟପ୍ , ସ୍କୁଟି ଏବଂ ଦଶ ହଜାର ଟଙ୍କା ଲୁଟି ନେଇଛନ୍ତି କିଛି ଦୁର୍ବୁତ୍ତ । ଏ ନେଇ ଶ୍ରୀ ମିଶ୍ର ବାଲୁଗାଁ ଥାନାରେ ଅଭିଯୋଗ କରିଥିବା କହିଛନ୍ତି । ବାଲୁଗାଁ ଅଞ୍ଚଳରେ ଏମିତି ଘଟଣା ନୂଆ ନୁହଁ ଏବଂ ଗୋଟିଏ ନୁହଁ। ଉକ୍ତ ଅଞ୍ଚଳରେ ଏହି ଭଳି ଚୋରି ଘଟଣାକୁ ଦଶ ଦିନ ନ ପୁରୁଣୁ ଠିକ୍ ସେହି ସ୍ଥାନରୁ ପୁଣି ସମାନ ଢଙ୍ଗରେ ଚୋରି। କେବଳ ଏତିକି ଫରକ ଗୋଟିଏ ଘଟଣା ଦିନ ଦ୍ଵିପ୍ରହରରେ ଘଟିଥିବା ବେଳେ ଗତକାଲିର ଘଟଣା ବିଳମ୍ବିତ ରାତିରେ ଘଟିଚି। ଏଠି ବର୍ତ୍ତମାନ ପୋଲିସ ପ୍ରଶାସନର ପାରିବା ପଣିଆ ଉପରେ ଲୋକ ଆଙ୍ଗୁଠି ଦେଖେଇବା ଆରମ୍ଭ କରିସାରିଲେଣି। ବାଲୁଗାଁ ଥାନା ପୋଲିସ ୧୬ନଂ ଜାତୀୟ ରାଜପଥଠୁ ଆରମ୍ଭ କରି ବାଲୁଗାଁ ସହର ଭିତର ପର୍ୟ୍ୟନ୍ତ ପୋଲିସଭ୍ୟାନ ଧରି ପେଟ୍ରୋଲିଂ କରନ୍ତି। କିନ୍ତୁ ପୋଲିସ୍ କେମିତି ପେଟ୍ରୋଲିଂ କରୁଛି ଯେ ଡକାୟତମାନେ ଆଉ ପାଦେ ଆଗକୁ ବଢିଯାଇ ଲୁଟ୍ କରିବାକୁ ପଛାଉନାହାଁନ୍ତି । ସାଧାରଣ ଜନତା ରାତିରେ ଶୋଇପଡିଲେ ପୋଲିସବାବୁମାନେ ରାତିରେ ଶୋଇ ପଡନ୍ତି ବୋଲି କୁହନ୍ତି ଅଞ୍ଚଳବାସୀ। ଏଠି ଜନତାଙ୍କ ସମ୍ପତ୍ତି ଏବଂ ସରକାରଙ୍କ ସମ୍ପତ୍ତିକୁ କିଏ ସୁରକ୍ଷା ଦେଉଛି ବୋଲି କିଛି ବୁଦ୍ଧିଜୀବିମାନେ ପ୍ରଶ୍ନ କରିଛନ୍ତି। ଶ୍ରୀ ଅନିରୁଦ୍ଧଙ୍କ ଚୋରି ଘଟଣାକୁ ଦଶ ଦିନ ପୁରିଥିଲେ ସୁଦ୍ଧା ବର୍ତ୍ତମାନ ପର୍ୟ୍ୟନ୍ତ କାହାର ଜଣଙ୍କର ଟେର ପାଉନି ପୋଲିସ୍ , କିନ୍ତୁ ଆଗକୁ ଦେଖିବା ବାକି ରହିଲା ଶ୍ରୀ ପାଣୀଗ୍ରାହିଙ୍କ ଘଟଣାରେ ପୋଲିସ ଚୋରମାନଙ୍କ ପାଖରେ କେବେ ପହଞ୍ଚୁଛି।
next post