Uncategorized

ବିକାଶର ଏନକାଉଣ୍ଟରକୁ ନେଇ ୟୁପି ପୁଲିସ ପ୍ରଶାସନ ଓ ସରକାର ଉପରେ ପ୍ରଶ୍ନବାଚୀ

ଭୁବନେଶ୍ୱର: ଉତ୍ତରପ୍ରଦେଶ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ ଥିବା କାନପୁରର ବିକାଶ ଦୁବେ ଅଧ୍ୟାୟର ଆଜି ପରିସମାପ୍ତି ଘଟିଛି । ପୁଲିସ ଏନକାଉଣ୍ଟରରେ ବିକାଶର ମୃତ୍ୟୁ ହୋଇଛି । ତେବେ ଏହି ଏନକାଉଣ୍ଟରକୁ ନେଇ ଏବେ ପୁଲିସ ପ୍ରଶାସନ ଓ ସରକାର ଉପରେ ଅନେକ ପ୍ରଶ୍ନ ଉଠୁଛି । ଗତକାଲି ମଧ୍ୟପ୍ରଦେଶରେ ପୁଲିସ ହାତରେ ଧରାଦେଇଥିବା ବିକାଶ ଦୁବେକୁ ଆଜି ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ପୁଲିସ ଉତ୍ତର ପ୍ରଦେଶ ଆଣୁଥିବା ବେଳେ ବରା ନାମକ ସ୍ଥାନରେ ପ୍ରବଳ ବର୍ଷା କାରଣରୁ ପୁଲିସ ଗାଡି ଓଲଟି ପଡିଥିଲା । ଏହାପରେ ଗାଡିରୁ ପୁଲିସ କର୍ମୀ ଓ ବିକାଶ ବାହାରୁଥିବା ବେଳେ ବିକାଶ ଜଣେ ପୁଲିସର ବନ୍ଧୁକ ଛଡାଇ ସେଠାରୁ ଖସି ପଳାଉଥିବା ବେଳେ ପୁଲିସ ଉପରକୁ ଗୁଳି ଚଳାଇଥିଲା । ଏହାପରେ ପୁଲିସ ତରଫରୁ ହୋଇଥିବା ଫାୟାରିଂରେ ବିକାଶ ଗୁରୁତର ଆହତ ହୋଇଥିଲା । ତାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । ସେଠାରେ ସକାଳ ୭.୫୫ରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।
ବିକାଶ ଦୁବେ କାଲି ଯେପରି ଫିଲ୍ମ ଷ୍ଟାଇଲରେ ଧରାପଡିଥିଲା ଆଜି ସେହିପରି ଭାବେ ତାର ମୃତ୍ୟୁ ହୋଇଛି । ବିକାଶର ଶରୀରରେ ମୋଟ ୪ଟି ଗୁଳି ବାଜିଛି । ଗୋଟିଏ ତାର ବାହୁରେ ଲାଗିଥିବା ବେଳେ ୩ଟି ତାର ଛାତିରେ ଲାଗିଛି । ଆଜିର ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ୮ ପୁଲିସ କର୍ମୀଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ପୁଲିସ ଏହି ପ୍ଲଟ ପ୍ରସ୍ତୁତ କରିଛି ନାହିଁ ତ? ରାସ୍ତାରେ ବିନା କୌଣସି ଧକ୍କାରେ ଗାଡି ଓଲଟିବା ଓ ଏନକାଉଣ୍ଟରକୁ ସହଜରେ ହଜମ କରି ହେଉନାହିଁ । ତେବେ ଗୋଟିଏ କଥା କୁହାଯାଇ ପାରେ କି ଆମ ଆଇନ ବ୍ୟବସ୍ଥାରେ ଥିବା ଲମ୍ବା ବିଚାର ପଦ୍ଧତିରେ ହୁଏତ ପୁଲିସ ପ୍ରଶାସନ ଅତିଷ୍ଠ ହୋଇପଡିଲାଣି । ତେଣୁ ତ ହାଇଦ୍ରାବାଦରେ ହୋଇଥିବା ମହିଳା ପଶୁଡାକ୍ତର ଗଣଧର୍ଷଣ ଓ ହତ୍ୟା ମାମଲାରେ ପୁଲିସ ସମସ୍ତ ଅପରାଧିଙ୍କୁ ଏନକାଉଣ୍ଟର କରିଥିଲା ।
ଖାଲି ପୁଲିସର ଅତିଷ୍ଠତା ଗୋଟିଏ ଦିଗ ହୋଇଥିବା ବେଳେ ଆହୁରି ଅନେକ ପ୍ରଶ୍ନ ଉଠୁଛି । ୩ଜୁଲାଇରେ ସମ୍ନାକୁ ଆସିବା ପରେ ଉତ୍ତର ପ୍ରଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ପୁଲିସର ୩ଟି ଥାନାର କର୍ମଚାରୀ ଡିସିପି ଦେବେନ୍ଦ୍ର ମିଶ୍ରାଙ୍କ ନେତୃତ୍ୱରେ ରାତି ୧.୩୦ରେ ବିକାଶ ଦୁବେକୁ ଧରିବାକୁ ଯାଇଥିବା ବେଳେ ବିକାଶ ଆଗରୁ ସୂଚନା ପାଇଥିଲା ଓ ପୁଲିସ ଆସୁଥିବା ତା ଘର ସମ୍ମୁଖ ରାସ୍ତା ମଝିରେ ଏକ ଜେସିବିକୁ ବାଟ ଓଗାଳି ରଖିଥିଲା, ଯେଉଁ ଜେସିବିକୁ ରାସ୍ତାରୁ ହଟାଇବାକୁ ଗାଡିରୁ ପୁଲିସ କର୍ମଚାରୀ ବାହାରିବା କ୍ଷଣି ବିକାଶ ଦୁବେର ଗ୍ୟାଙ୍ଗ ତରଫରୁ ଗୁଳିବର୍ଷା ହୋଇଥିଲା । ଏଥିରେ ଦେବେନ୍ଦ୍ର ମିଶ୍ରାଙ୍କର ମଧ୍ୟ ନିଧନ ହୋଇଥିଲା । ବିକାଶ ପୁଲିସର ଚଢାଉ ବିଷୟରେ କିପରି ଜାଣିଲା ଏହାର ତଦନ୍ତ ସମୟରେ ଅନେକ ରୋଚକ ତଥ୍ୟ ସମ୍ମୁଖକୁ ଆସିଥିଲା, ଯେଉଁଥିରେ ୨୦୦ରୁ ଅଧିକ ପୁଲିସ ଅଧିକାରୀ ଓ କର୍ମଚାରୀ ତା ସଂସ୍ପର୍ଷରେ ଥିବା ଓ ସେ ବିଭିନ୍ନ ରାଜନେତାଙ୍କ ପାଇଁ କାମ କରୁଥିବା ଜଣାପଡିଥିଲା । ଅବଶ୍ୟ ପୁଲିସ ଉକ୍ତ ରାତିର ଘଟଣା ପାଇଁ ୨୦ ଜଣଙ୍କୁ ନିଲମ୍ବିତ କରିଛି, କିନ୍ତୁ ଅନେକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏତେ ସଂଖ୍ୟକ ପୁଲିସ ଓ ବହୁ ରାଜନେତାଙ୍କ ଛତ୍ରଛାୟା ତଳେ ବିକାଶ ତାର ଅପରାଧିକ ସାମ୍ରାଜ୍ୟ ଚଳାଉଥିବାରୁ ତାକୁ ହତ୍ୟାକରି ଏନକାଉଣ୍ଟର କରାଯାଇଥିବା ନେଇ ବିରୋଧି ପ୍ରଶ୍ନ ଉଠାଇବା ଆରମ୍ଭ କରି ଦେଲେଣି ଏବଂ ପ୍ରଶ୍ନ ଉଠାଇବା ମଧ୍ୟ ସ୍ୱାଭାବିକ । କାରଣ ବିକାଶର ଜେରା ସମୟରେ ଅନେକ ଗୋପନ ତଥ୍ୟ ମିଳିଥାନ୍ତା, ଅନେକଙ୍କ ମୁହଁରୁ ନକାବ ଖୋଲିଥାନ୍ତା । ତେଣୁ ସମସ୍ତ ରହସ୍ୟକୁ ବିକାଶ ସହ କବର ଦେବାକୁ ଏହି ଏନକାଉଣ୍ଟରର ସୁଆଙ୍ଗ ରଚା ଯାଇଥିବା ଚର୍ଚ୍ଚା ହେଉଛି ।

Related posts

୨ ନଂ ଜାତୀୟ ରାଜପଥରେ ଦୁର୍ଘଟଣା: ୫ ମୃତ, ୧୨ ଆହତ

mahabharatanews

କରୋନାରେ ଆମେରିକା ଆଗରେ, ଦିନକରେ ୨୬୦୦ ଲୋକଙ୍କ ବିୟୋଗ

mahabharatanews

ପୁଅର ଜୀବନ ରକ୍ଷା ପାଇଁ ମାଆ,ର ଆକୁଳ ନିବେଦନ

mahabharatanews