(କେଉଁଝର) : ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ମୃତ୍ୟୁ ସଂଖ୍ୟା । ନିକଟରେ ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ । ଏହି କ୍ରମରେ ଟ୍ରେନ ଧକ୍କାରେ ଦୁଇ ହାତୀ ମୃତ ହୋଇଥିବା ଜଣାପଡିଛି । କେନ୍ଦୁଝର ଆନନ୍ଦପୁର ସ୍ଥିତ ଦୈତାରୀ ରେଞ୍ଜ ଆମ୍ବଧରା ନିକଟରେ ହାତୀପଲ ରେଳ ଲାଇନ୍ ପାରି ହେଉଥିଲେ । ଏହି ସମୟରେ ମାଲବାହୀ ଟ୍ରେନ ଧକ୍କା ଦେବାରୁ ୨ ହାତୀର ମୃତ୍ୟୁ ଘଟିଛି ।
ସୂଚନାନୁଯାୟୀ , ହାତୀପଲ ରେଳ ଧାରଣା ପାର ହେଉଥିଲେ । ଏତିକିବେଳେ ଟାଙ୍ଗରିଆପାଳ ଷ୍ଟେସନ୍ ନିକଟ ଆମ୍ବଧରା ନାଳ ଏବଂ କୋଠଘାଟି ମଝିରେ ହାତୀଙ୍କୁ ଧକ୍କା ଦେଇଥିଲା ଏକ ମାଲବାହୀ ଟ୍ରେନ୍ । ଦୁର୍ଘଟଣା ପରେ ହାତୀ ଦୁଇଟି ପ୍ରାୟ ୧୦ଫୁଟ ତଳକୁ ଛିଟିକି ପଡିଥିଲେ । ବନ ବିଭାଗ ଓ ରେଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।
