(ଝାରସୁଗୁଡ଼ା): ପ୍ରତାରଣା ଦେଲେ ୱେବ ସାମ୍ବାଦିକ । ପ୍ରଥମେ ଫେସବୁକରେ ପ୍ରେମ ନିବେଦନ, ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଫସାଇଲେ, ପରେ ତାଙ୍କ ଆକାଉଣ୍ଟରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲାରେ । ତେବେ ସାମ୍ବାଦିକ ଜଣକ ଏକାଧିକ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଲୁଟ କରୁଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ଦୀପକ ବେହୁରୀ ନାମକ ଜଣେ ସାମ୍ବାଦିକ ଫେସବୁକରେ ବଡ଼ମାଲ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରି ପରସ୍ପରକୁ ଭଲ ପାଇଥିଲେ । ଏପରି କି ବିବାହ କରିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ । ପ୍ରେମିକଙ୍କ ଠାରୁ ଏଭଳି ପ୍ରତିଶୃତି ପାଇ ପ୍ରେମିକା ଜଣକ ନିଜ ଘରୁ ଖସି ପଳାଇ ଆସିଥିଲେ । ପରେ ଯୁବତୀ ଓ ଦୀପକ ଏକା ସାଙ୍ଗରେ ବୁଲିବା ସମୟରେ ଯୁବତୀଙ୍କ ଆକାଉଣ୍ଟରୁ ଦୀପକ ଅଢ଼େଇ ଲକ୍ଷ ଟଙ୍କା ନିଜ ପତ୍ନୀଙ୍କ ଆକାଉଣ୍ଟକୁ ଟାନ୍ସଫର କରିଥିଲେ । ପରବର୍ତ୍ତୀ ସମୟରେ ଦୀପକ ବିବାହିତ ଓ ତାଙ୍କ ପତ୍ନୀ ମଧ୍ୟ ଅଛନ୍ତି ବୋଲି ଯୁବତୀ ଜଣକ ଜାଣିବାକୁ ପାଇଥିଲେ । ଏପରି ଏକାଧିକ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇବା କଥା ମଧ୍ୟ ଜାଣିବାକୁ ପାଇଥିଲେ ଯୁବତୀ ।
ଦୀପକଙ୍କ ସମ୍ପର୍କରେ ଏପରି ସାଙ୍ଘାତିକ ତଥ୍ୟ ପାଇବା ପରେ ଯୁବତୀ ଜଣକ ଦୀପକ ନିକଟରୁ ଖସିବା ପାଇଁ ସୁଯୋଗ ଖୋଜୁଥିଲେ । ସୁଯୋଗ ମିଳିବା କ୍ଷଣି ଯୁବତୀ ଜଣକ ନିଜ ମା’ଙ୍କ ପାଖକୁ ଯାଇ ସବୁ ଘଟଣା ଜଣାଇଥିଲେ । ତେବେ ତାଙ୍କ ମା’ ପୋଲିସରେ ଏ ନେଇ ବଡମାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଏ ସମ୍ପର୍କରେ ଖବର ପାଇ ଚମ୍ପଟ ମାରିଛି ଅଭିଯୁକ୍ତ ଦୀପକ । ଅନେକ ଚେଷ୍ଟା ସତ୍ତେ୍ୱ ପୋଲିସ ଦୀପକକୁ ଧରିବାରେ ବିଫଳ ହୋଇଥିଲା ।
ମାତ୍ର ଆଜି ସୁନ୍ଦରଗଡ଼ର ଦର୍ଲିପାଲିରୁ ଦୀପକକୁ ଗିରଫ କରିଛି ପୋଲିସ । ଏଥି ସହିତ ଦୀପକ ଓ ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।