ଓଡିଶା

ସାଧାରଣ ଜନତା ପାଇଁ ତାଲା, ବଡବଡିଆଙ୍କ ପାଇଁ ଖୋଲା

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ସେକ୍ରେଟେରିଏଟ ବନ୍ଦ । ଅବଶ୍ୟ କର୍ମଚାରୀ, ଅଧିକାରୀ, ସଚିବ ମନ୍ତ୍ରୀ ପ୍ରମୁଖ ଆସୁଛନ୍ତି । କିନ୍ତୁ ସାଧାରଣ ଜନତାଙ୍କ ପାଇଁ ବନ୍ଦ । ଏପରି କି ସାମ୍ବାଦିକଙ୍କ ପାଇଁ ସେକ୍ରେଟେରିଏଟ ଗେଟରେ ତାଲା ପଡିଛି । ଭିତରକୁ ଯିବାକୁ ଅନୁମତି ନାହିଁ । କରୋନାର ଭୟାବହତାକୁ ନେଇ ସାମ୍ବାଦିକମାନେ ମଧ୍ୟ ସରକାରୀ ନିର୍ଦ୍ଦେଶକୁ ମାନି ନେଇଛନ୍ତି ରାଜ୍ୟର ହିତ ପାଇଁ । ରାଜ୍ୟରେ ସଂକ୍ରମଣ କମିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସାମ୍ବାଦିକଙ୍କ ପାଇଁ ସଚିବାଳୟ ଗେଟ ଖୋଲୁନାହିଁ ।

କିନ୍ତୁ ନିକଟରେ ଜଣେ ମହିଳାଙ୍କୁ ସେକ୍ରେଟେରିଏଟ ଭିତରେ ବୁଲୁଥିବା ଦେଖିବାକୁ ମିଳିଛି । ସେକ୍ରେଟେରିଏଟ ଭିତରେ ପ୍ରାୟତଃ ସବୁ ସଚିବଙ୍କ କକ୍ଷରେ ଘୁରିବୁଲୁଥିଲେ ମହିଳାଜଣଙ୍କ ପ୍ରଜାପତି ପରି । ସଚିବମାନଙ୍କ ନିକଟକୁ ଯାଇ କରୁଥିଲେ ଦେଖା । ଯେଉଁ ସଚିବମାନଙ୍କୁ ଭେଟୁଥିଲେ ସେମାନଙ୍କ ହାତକୁ ବଢାଇ ଦେଉଥିଲେ ଗୋଟିଏ ଗୋଟିଏ ପ୍ୟାକେଟ । ପ୍ୟାକେଟରେ କଣ ରହିଛି ତାହା ତ ଜଣାନାହିଁ, କିନ୍ତୁ ପ୍ୟାକେଟଟି ବେଶ ଆକର୍ଷଣୀୟ ହୋଇଛି ।

ମହିଳା ଜଣଙ୍କ ଏମଏସଏମଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପ୍ରିନ୍ସପାଲ ସେକ୍ରେଟେରି ଏମଏସଏମଇ ସତ୍ୟବ୍ରତ ସାହୁ, ଓଡିଇଡିଏ ଅଶୋକ ଚୌଧୁରୀ ପ୍ରମୁଖଙ୍କୁ ଭେଟିଦେଇଛନ୍ତି । ଏମାନଙ୍କ ହତାକୁ ଗିଫ୍ଟ ପ୍ୟାକେଟ ବଢାଇଦେବା ସହ ଉଠାଇଛନ୍ତି ଫଟୋ । କିଏ, କାହାକୁ କଣ ଗିଫ୍ଟ ଦେଲେ ସେଥିରେ ଆମର କିଛି ଯାଏ ଆସେ ନାହିଁ । କିନ୍ତୁ ଏହି ମହିଳା ଜଣକ ଏମିତି କିଏ କି ଯାହାଙ୍କ ପାଇଁ କୋଭିଡ ତାଲା ଖୋଲି ଦେଲେ ସଚିବମାନେ । ଏମିତି କଣ ଅର୍ଜେନ୍ସି ଥିଲା କି କରୋନା ନାମରେ ଅନ୍ୟମାନଙ୍କ ପାଇଁ ସଚିବାଳୟ ଯିବା ଉପରେ ପ୍ରତିବନ୍ଧକ ଲାଗିଥିବା ବେଳେ ମ୍ୟାଡମଙ୍କୁ ଯିବାକୁ ଦିଆଗଲା? ଏହାକୁ ଦେଖି ଲାଗୁଛି, ମ୍ୟାଡମ ଭାରି ପାୱାରଫୁଲ ।

ଏହି ଘଟଣା ଦେଖିବା ପରେ ଲାଗୁଛି, ଆମ ରାଜ୍ୟ ପ୍ରଶାସନିକ ଅଧିକାରୀ ତଥା ନେତା ମନ୍ତ୍ରୀଙ୍କ ପାଇଁ କରୋନା ମହାମାରୀ ବରଦାନ ହୋଇ ଆସିଛି । ସଚିବାଳୟ ଭିତରକୁ କାହାରିକୁ ପୁରାଇ ନ ଦେଇ ଭିତରେ କିନ୍ତୁ ଚାଲିଛି ଭଲ ସୌଦାବାଜୀ । ମହାମାରୀ କରୋନାରେ ସାଧାରଣ ଜନତା ଆଣ୍ଠେଇ ପଡିଥିବା ବେଳେ କିନ୍ତୁ ଆମ ସଚିବ ଓ ରାଜନେତା ହୋଇଛନ୍ତି ମାଲାମାଲ। ଅନ୍ୟପଟେ, ସାମ୍ବାଦିକଙ୍କ ହାତ ବନ୍ଧା । ନା ସେମାନେ ଭିତରକୁ ଯିବେ ନାହିଁ କିଛି ସୁଙ୍ଘିବେ ଓ ତାକୁ ଜନତାଙ୍କ ନିକଟରେ ତାହା ପହଞ୍ଚାଇବେ । ତେବେ ଏହି ମହିଳାଙ୍କ ସହ ମନ୍ତ୍ରୀ, ସଚିବ ମାନଙ୍କ ଫଟୋ ବାହାରକୁ ଆସିବା ପରେ ସାମ୍ବାଦିକମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି । ମିଛଟାରେ ମହାମରୀକୁ ଢାଲ କରି ସାଧାରଣ ଜନତାଙ୍କ ସମସ୍ୟାକୁ ଅଣଦେଖା କରାଯାଉଛି । ସାଧାରଣ ଜନତାଙ୍କୁ ବାଦ ଦେଇ ସଚିବମାନେ ଏମିତି ଗିଫ୍ଟ ପରି କେତେ କଣ ଠୁଳ କରିଚାଲିଛନ୍ତି ତାହା ଚର୍ଚ୍ଚାର ବିଷୟ ହୋଇଛି । ସତେକି ମହାମାରୀ ଏମାନଙ୍କ ପାଇଁ ହୋଇଛି ପାଳକ ।

 

Related posts

ଆରମ୍ଭ ହେଲା ମୋ ବସ୍ ଏକ୍ସପ୍ରେସ୍ ସେବା

mahabharatanews

ପୋକଲିନ ମେସିନ ଜାଳିଦେଲେ ଦୁର୍ବୃତ୍ତ

mahabharatanews

ସାଲେପୁରରେ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ ସଭା

mahabharatanews