ପଶ୍ଚିମବଙ୍ଗର ବାରୁଇପୁରରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛି। ବୁଧବାର ସକାଳେ ଘଟିଥିବା ଏହି ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପୋଲିସ ସୂଚନା ଅନୁଯାୟୀ, ବାରୁଇପୁର ପୋଲିସ ଷ୍ଟେସନର ତଦନ୍ତକାରୀ ଅଧିକାରୀ ନିଜ ଦଳ ସହିତ ଅଭିଯୁକ୍ତ ପ୍ରଭାସ ମଣ୍ଡଳକୁ ‘କ୍ରାଇମ ସିନ୍ ପୁନଃନିର୍ମାଣ’) ପାଇଁ ସୂର୍ଯ୍ୟପୁର ହାଟକୁ ନେଇଥିଲେ। ପୋଲିସ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଥିବା ସମୟରେ ଚତୁର ଅଭିଯୁକ୍ତ ପ୍ରଭାସ ହଠାତ୍ କର୍ତ୍ତବ୍ୟରତ ପୋଲିସ ଅଧିକାରୀଙ୍କଠାରୁ ବନ୍ଧୁକ ଛଡ଼ାଇ ନେଇଥିଲା।
ଅସ୍ତ୍ର ଛଡ଼ାଇବା ପରେ ଅଭିଯୁକ୍ତ ପୋଲିସ ଦଳ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇ ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରିଥିଲା। ପୋଲିସ ଦଳ ତୁରନ୍ତ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚଳାଇଥିଲା। ଏହି ହାତାହାତି ଓ ଗୁଳି ବିନିମୟରେ ପ୍ରଭାସ ମଣ୍ଡଳ ଗୁରୁତର ଆହତ ହୋଇ ତଳେ ପଡ଼ିଯାଇଥିଲା। ପୋଲିସ ତୁରନ୍ତ ତାକୁ ଉଦ୍ଧାର କରି ବାରୁଇପୁର ହସ୍ପିଟାଲକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୪ ତାରିଖରୁ ଜଣେ ନାବାଳିକା ଝିଅ ନିଖୋଜ ଥିଲେ। ପରଦିନ ସୂର୍ଯ୍ୟପୁର ହାଟ ଅଞ୍ଚଳରେ ଏକ ବସ୍ତାରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀମାନେ ବାରୁଇପୁର-ଜୟନଗର ରାସ୍ତା ଅବରୋଧ କରିବା ସହ ପୋଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ। ଏପରିକି ଉତ୍ତ୍ୟକ୍ତ ଜନତା ସନ୍ଦେହରେ ଇନ୍ଦ୍ରଜିତ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଥିଲେ।
ଏହି ସମ୍ବେଦନଶୀଳ ମାମଲାର ବିସ୍ତୃତ ତଦନ୍ତ ପାଇଁ ପ୍ରଶାସନ ପକ୍ଷରୁ ଏକ ୬ ଜଣିଆ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ କରାଯାଇଛି ଏବଂ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଗିରଫ କରାଯାଇଛି।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଦକ୍ଷିଣ 24 ପରଗନା ପୋଲିସ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପୀଡିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ସାମ୍ବାଦିକମାନଙ୍କ ସହ କଥା ହେବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଯଦି ତଦନ୍ତ ପ୍ରକ୍ରିୟାରେ ଗୋଟିଏ ପ୍ରତିଶତ ମଧ୍ୟ ଅବହେଳା ଦେଖାଯାଏ, ତେବେ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।” ଏନକାଉଣ୍ଟର ପରେ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ବୈଧାନିକ ପ୍ରକ୍ରିୟା ଜାରି ରହିଛି।
