ଜେନେଭା: ବିଶ୍ୱରେ କରୋନା ଭୂତାଣୁ ୩୯ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରିବା ସହ ୨ଲକ୍ଷ ୭୨ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି । ଖାଲି ଏତିକି ନୁହେଁ ଏହି ମହାମାରୀ କୋଭିଡ୍–୧୯ ସର୍ବତ୍ର ଘୃଣାର ସୁନାମି ବୁହାଇ ଦେଇଛି । ବିଦେଶୀ ତଥା ଅଚିହ୍ନାଙ୍କ ପ୍ରତି ଘୃଣା ଓ ଭୟ ସୃଷ୍ଟି କରିବା ସହ ସେମାନଙ୍କୁ ଆକ୍ରୋଶର ଶିକାର ହେବାକୁ ପଡୁଛି। ତେଣୁ ଏଭଳି ସ୍ଥିତିରେ କୌଣସି ପ୍ରକାର ଘୃଣାଭାବ ଜାଗ୍ରତ କରୁଥିବା ଭାଷଣବାଜିରେ ରୋକ ଲଗାଇବା ପାଇଁ ବିଶ୍ୱସ୍ତରୀୟ ଉଦ୍ୟମ ଲାଗି ଜାତିସଂଘ ମହାସଚିବ ଆଣ୍ଟାନିଓ ଗୁଟର୍ସ ଆହ୍ୱାନ ଦେଇଛନ୍ତି। ବିଦେଶୀ ବିରୋଧୀ ମନୋଭାବ କଳ୍ପନାତୀତ ଭାବେ ଇଣ୍ଟରନେଟରେ ବୃଦ୍ଧି ପାଇବା ସହ ରାସ୍ତାଘାଟରେ ଇହୁଦୀମାନଙ୍କ ବିରୋଧରେ ଷଡ଼ଯନ୍ତ୍ର ହେବାରେ ଲାଗିଛି। ସେହିପରି କୋଭିଡ୍–୧୯ ସହ ଜଡି଼ତ ମୁସ୍ଲିମ୍ ବିରୋଧୀ ଆକ୍ରମଣ ମଧ୍ୟ ଘଟିଚାଲିଛି। ଦାଦନ, ଯାଯାବର ଏବଂ ଶରଣାର୍ଥୀମାନଙ୍କୁ କରୋନାଭୂତାଣୁର ଉତ୍ସ ଭାବେ ପରିଗଣନା କରାଯାଇ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧାରୁ ବଂରଚିତ କରାଯାଉଛି ବୋଲି ଗୁଟର୍ସ କ୍ଷୋଭ ପ୍ରକାଶ କରିଛନ୍ତି।
ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ରାଜନେତାମାନେ ଲୋକଙ୍କ ସହ ମିଶି କାମ କରିବାକୁ ପଡି଼ବ। ଏହି ମଉକାରେ ନିରାଶାରେ ଥିବା ସାଧାରଣ ଜନତାଙ୍କୁ କାବୁ କରି କଠୋରପନ୍ଥୀମାନେ ସେମାନଙ୍କ ପ୍ରଭାବ ବିସ୍ତାର କରିବାକୁ ଆଗେଇ ଆସିବା ବିଚିତ୍ର ନୁହେଁ। ତେବେ ଆବଶ୍ୟକ ଶିକ୍ଷା ଓ ସଚେତନତା ମାଧ୍ୟମରେ ତାହାକୁ ପ୍ରତିହତ କରିବାକୁ ହେବ। ଯିଏ ଯେତେ ପ୍ରଭାବଶାଳୀ ହେଲେ ବି, ଯିଏ ଯେତେ ବିଳାସ ବ୍ୟସନରେ ଥିଲେ ବି ଏବଂ ଯିଏ ଯେଉଁ ଧର୍ମରେ ବିଶ୍ୱାସ କରୁଥିଲେ ବି ଏହି ଦୁଃସାଧ୍ୟ ରୋଗ କାହାକୁ ଛାଡେନାହିଁ । ତେବେ ସର୍ବୋପରି ଯିଏ ବି ଯେଉଁଠି ଯେମିତି ରହିଛି, କୋଭିଡ୍ ଆଣିଥିବା ଘୃଣା ବିରୋଧରେ ସ୍ୱର ଉେତ୍ତାଳନ କରିବା ସହ ପ୍ରତ୍ୟେକଙ୍କୁ ସମ୍ମାନର ସହ ଗ୍ରହଣ କରିବାକୁ ଗୁଟର୍ସ ପରାମର୍ଶ ଦେଇଛନ୍ତି।
