ଶିକ୍ଷକ ବଦଳି ପାଇଁ ଅନଲାଇନରେ କରିପାରିବେ ଆବେଦନ । ପ୍ରାଥମିକ ଶିକ୍ଷକ ବଦଳି ପାଇଁ ଖୋଲିଛି ପୋର୍ଟାଲ । ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଓଡ଼ିଶା ପକ୍ଷରୁ ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବା ଡିଇଓଙ୍କୁ ଚିଠି ଜାରି କରାଯାଇଛି । । ଅନଲାଇନ୍ ଶିକ୍ଷକ ବଦଳି ନେଇ ପୋର୍ଟାଲ୍ ନଭେମ୍ବର ୨୮ରୁ ଖୋଲିଥିବା ବେଳେ ଡିସେମ୍ବର ୨୫ ପର୍ଯ୍ୟନ୍ତ ଆବେଦନ କରାଯାଇ ପାରିବ । ଏଥିସହିତ ଜିଲ୍ଲା ଭିତରେ ପ୍ରାଥମିକ ଶିକ୍ଷକ ବଦଳି ପାଇଁ ଅନଲାଇନ୍ ଆବେଦନ କରିବାକୁ କୁହାଯାଇଛି । ଚିଠି ଅନୁସାରେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗତ ମେ ୧୪ରେ ଜାରି କରିଥିବା ଚିଠି ସଂଖ୍ୟା ୧୩୪୫୩ ବିଜ୍ଞପ୍ତି ଅନୁଯାୟୀ ବଦଳି କରାଯିବ । ଅନଲାଇନ୍ରେ ସମସ୍ତ ପ୍ରକ୍ରିୟା ୨୦୨୫ ଡିସେମ୍ବର ୨୫ ସୁଦ୍ଧା ସାରିବାକୁ ଚିଠିରେ ଉଲ୍ଲେଖ ରହିଛି ।
ତେବେ ହାଇକୋର୍ଟ ବିଧାୟକଙ୍କ ପାଖରୁ ଶିକ୍ଷକ ବଦଳି କ୍ଷମତା ଛଡାଇନେବା ପରେ ଏବେ ଶିକ୍ଷକ ଅନଲାଇନ ଜରିଆରେ ବଦଳି ପାଇଁ ଆବେଦନ କରିପାରିବେ । ଏବେ ଆଉ ବିଧାୟକଙ୍କ ମନ ମୁତାବକ ହୋଇପାରିବନି ଶିକ୍ଷକ ବଦଳି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧୀ ସ୍ବାଗତ କରିଥିବା ବେଳେ ମନ୍ତ୍ରୀ କହିଛନ୍ତି, ଆଗକୁ ବଦଳିରେ ସ୍ବଚ୍ଛତା ଆଣିବୁ ।
ତେବେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ସାଂସଦ ଓ ବିଧାୟକଙ୍କୁ ସରକାର ଦେଇଥିବା କ୍ଷମତାକୁ ଅପସାରଣ କରିଛନ୍ତି ହାଇକୋର୍ଟ । ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ । ଜାଣିରଖିବା ଉଚିତ ଯେ, ବିଧାୟକଙ୍କ ସୁପାରିସରେ ବଦଳି ନିର୍ଦ୍ଦେଶ ପରେ ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ନିୟମ ଉଲ୍ଲଂଘନ କରି ବଦଳି କରାଯାଉଥିବା ଅଭିଯୋଗ କରିଥିଲେ ଆବେଦନକାରୀ । ଶୁଣାଣି କରି ହାଇକୋର୍ଟ କହିଛନ୍ତି, ବଦଳି ପରେ କାର୍ଯ୍ୟରେ ଯୋଗ ଦେଇଥିଲେ ଚଳିତ ଶିକ୍ଷା ବର୍ଷ ପର୍ଯ୍ୟନ୍ତ ସେଠାରେ ରହିବେ ଶିକ୍ଷକ । ଆସନ୍ତା ଶିକ୍ଷାବର୍ଷ ଆରମ୍ଭର ୭ ଦିନ ଭିତରେ ପୂର୍ବ ନିଯୁକ୍ତି ସ୍ଥାନକୁ ଫେରିବେ ।
