(ଗୌହାଟୀ): ନାଗରିକତା ଆଇନ ବିରୋଧରେ ଉଗ୍ର ପ୍ରଦିବାଦ ଯୋଗୁଁ ରାଜ୍ୟବ୍ୟାପୀ ଏକ ସପ୍ତାହରୁ ଅଧିକ କାଳ ନିଷିଦ୍ଧ ହୋଇଥିବା ମୋବାଇଲ ଇଣ୍ଟରନେଟ ସେବା ପୁଣି ଆରମ୍ଭ ହୋଇଥିବା କଥା ଶୁକ୍ରବାର ଦିନ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି ।
ମୋବାଇଲ୍ ଇଣ୍ଟର୍ନେଟ୍ ସେବା ଉପରୁ କଟକଣା ହଟାଇବାକୁ ଗୌହାଟି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ଜଷ୍ଟିସ ମନୋଜିତ ଭୂୟାଁ ଏବଂ ଜଷ୍ଟିସ ସୌମିତ୍ର ସାଇକିଆଙ୍କ ଖଣ୍ଡପୀଠ ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ମୋବାଇଲ ଇଣ୍ଟରନେଟ ସେବା ପୁଣି ଚାଲୁ କରାଯିବା ଉଚିତ । ଏଥିସହ ଖଣ୍ଡପୀଠ ଆହୁରି କହିଥିଲେ ଯେ ସୋସିଆଲ ମିଡିଆରେ ହିଂସାକାଣ୍ଡ ସୃଷ୍ଟି କଲାଭଳି ପ୍ରସାରଣ କରାଯାଇଥିବା ବିଭିନ୍ନ ବିସ୍ଫୋରକ ବାର୍ତ୍ତା ଏବଂ ଭିଡ଼ିଓ ଉପରେ ନିଷେଧାଦେଶ ଜାରି କରିବାକୁ ସରକାରଙ୍କର କ୍ଷମତା ରହିଛି ।
ସଂଶୋଧିତ ନାଗରିକତା ଆଇନ ଯୋଗୁଁ ରାଜ୍ୟରେ ବହୁସଂଖ୍ୟକ ଶରଣାର୍ଥୀ ବସବାସ କରିବାର ସୁଯୋଗ ପାଇବେ । ଫଳରେ ରାଜ୍ୟର ମୂଳ ଅଧିବାସୀମାନଙ୍କର ପରମ୍ପରା ଓ ସଂସ୍କୃତି ଉପରେ ଆଞ୍ଚ ଆସିବା ଆଶଙ୍କା କରି ଆସାମରେ ପ୍ରତିବାଦ ଓ ଆନ୍ଦୋଳନ ଚାଲିଛି ।