Uncategorized

କୋରିଆକୁ ଡେଇଁଲା କୋରୋନା, ୫୫୬ ଆକ୍ରାନ୍ତ

(ସିଓଲ): ଚୀନରୁ ବ୍ୟାପିଥିବା କୋରୋନା ଭାଇରସ ଏବେ କୋରିଆ ପହଞ୍ଚିଥିବା ଜଣାପଡିଛି । ଦକ୍ଷିଣ କୋରିଆରେ ୫୫୬ ଜଣ ଏହି ଘାତକ ଭାଇରସ ସଂକ୍ରମଣର ଶିକାର ହୋଇଥିବା ଜଣାପଡିଛି । ରବିବାର ସାଉଥ କୋରିଆ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି । ଶନିବାର ଏଠାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୩ ରହିଥିଲା । ଦେଶରେ ଏହି ଭୟଙ୍କର ଭୂତାଣୁ ବ୍ୟାପିବା ନେଇ ପ୍ରଧାନମନ୍ତ୍ରୀ ଚୁଙ୍ଗ ସାଇ କ୍ୟୁନ ସ୍ଥାନୀୟ ଚର୍ଚ୍ଚ ଓ ହସ୍ପିଟାଲକୁ ଦାୟୀ କରିଛନ୍ତି । କୋରିଆ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଳ ଆଣ୍ଡ ପ୍ରିଭେନସନର ତଥ୍ୟ ଅନୁସାରେ, ଦେଶର ଚତୁର୍ଥ ବଡ ସହର ଭାବେ ପରିଚିତ ଡେଗୁ ଏବଂ ଆଖପାଖରେ ୧୨୦ ଜଣ କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୧୩ ଜଣ ଚିକିତ୍ସାଧିନ ରହିଛନ୍ତି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୭୦ ଜଣ ଡେଗୁରେ ଥରିବା ଶିନଚୋନଜି ଚର୍ଚ୍ଚର ଏକ ଶାଖା ସହିତ ଜଡିତ ରହିଥିବାରୁ ଭାଇରସ ବ୍ୟାପିବା ପାଇଁ ଏହି ଚର୍ଚ୍ଚକୁ ଦାୟୀ କରାଯାଇଛି ।

ଏବେ ସୁଦ୍ଧା ଦକ୍ଷିଣ କୋରିଆରେ ୫୫୬ଟି କୋରୋନା ଆକ୍ରାନ୍ତଙ୍କ ମାମଲା ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ଚୁଙ୍ଗ ସାଇ କ୍ୟୁନ ରବିବାର ରାତିରେ ଏହାକୁ ନେଇ ମନ୍ତବ୍ୟ ରଖିଛନ୍ତି । ଏହି ଭାଇରସ ଏବେ ଅତି ଗମ୍ଭୀର ଶ୍ରେଣୀରେ ରହିଛି । ତେଣୁ ଦକ୍ଷିଣ କୋରିଆର ବିଭିନ୍ନ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି । ଭାଇରସ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି ।

ଏହି କୋରୋନା ଭାଇରସ ଏବେ ବିଭିିନ୍ନ ଦେଶକୁ ବ୍ୟାପିଛି । କୋରିଆ ଭଳି ଇଟାଲୀରେ ମଧ୍ୟ ଏହି ଭାଇରସ ପହଞ୍ଚିଛି । ଇଟାଲିର ଉତ୍ତରାଞ୍ଚଳ ସହର ପଡୁଆଠାରେ ସଂକ୍ରମିତ ଜଣେ ୭୮ ବର୍ଷ ବୟସ୍କ ବ୍ୟକ୍ତିଙ୍କର ଶନିବାର ମୃତ୍ୟୁ ହୋଇଛି । ଏହି ଘଟଣାକୁ ମିଶାଇ ୟୁରୋପରେ ମୋଟ ୧୭ ଜଣ ସଂକ୍ରମିତ ହୋଇଥିବା ବେଳେ କେବଳ ଇଟାଲୀରେ ୧୪ ଜଣ ଚିକିତ୍ସାଧିନ ଥିବା ଦେଶର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଇରାନରେ ଏହି ଭାଇରସରେ ଆକ୍ରାନ୍ତ ହୋଇ ଜଣକର ମୃତ୍ୟୁ ହୋଇଥିବା ବେଳେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି । ସେହିଭଳି ଜାପାନରେ ଆଉ ୪ ଜଣ ସଂକ୍ରମିତ ହୋଇଛନ୍ତି । ଜାପାନରେ ୭୩୯ ଜଣ ଏହି ଭାଇରସର ଶିକାର ହୋଇଛନ୍ତି ।

ସୂଚନାଯୋଗ୍ୟ, କୋରୋନା ଭାଇରସ ବିଶ୍ୱର ୨୮ ଦେଶକୁ ବର୍ତ୍ତମାନ ବ୍ୟାପିଛି । ଚୀନରେ ଏହି ଭୂତାଣୁ ଦ୍ୱାରା ୭୬ ହଜାର ୨୮୮ ଜଣ ଆକ୍ରାନ୍ତ ହୋଇଛନ୍ତି । ଦେଶରେ ମୃତକଙ୍କ ସଂଖ୍ୟା ୨୩୪୫ରେ ପହଞ୍ଚିଛି । ସେହିପରି ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାରରେ ପହଞ୍ଚିଛି । ଏହାବାଦ ସିଙ୍ଗାପୁରରେ ୮୬ଟି ଓ ଆମେରିକାରେ ୩୫ଟି କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଆମେରିକାରେ ଜଣେ ଚୀନ ନାଗରିକଙ୍କ ଏହି ଭାଇରସରେ ମୃତ୍ୟୁ ହୋଇଛି । ଏହାଛଡା ଭାରତ, ଥାଇଲ୍ୟାଣ୍ଡ, ତାଇୱାନ, ଅଷ୍ଟ୍ରେଲିଆ, ମାଲେସିଆ, ଇରାନ, ଭିଏତନାମ, ଜର୍ମାନୀ, ଫ୍ରାନ୍ସ ସମେତ ଆଉ କିଛି ଦେଶରେ ମଧ୍ୟ କୋରୋନା ଭାଇରସ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି ।

Related posts

ଦିଲ୍ଲୀରେ ୭ କୋରୋନା ସଂକ୍ରମିତ ଚିହ୍ନଟ

mahabharatanews

ଅବ୍ୟବସ୍ଥା ଘେରରେ ସିଂଲା ଥାନା

mahabharatanews

ରିଚାର୍ଡ ଡକିନ୍ସ ୨୦୨୦ ବିଜୟୀ ଜାଭେଦ ଅଖତରଙ୍କୁ ଆଶୁତୋଷ ଗ୍ୱାରିକରଙ୍କ ଶୁଭେଚ୍ଛା

mahabharatanews

Leave a Comment