ଖୋର୍ଦ୍ଧା: ରାଜ୍ୟ ସରକାର ସମସ୍ତ ରୋଗୀମାନଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯୋଜନା ପ୍ରସ୍ତୁତ କରି ଚାଲିଥିବା ବେଳେ ସାଧାରଣ ଲୋକଟିଏ ଉପଯୁକ୍ତ ଚିକିତ୍ସା ନ ପାଇ ଶେଷରେ ହତାଶ ହୋଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛାଡ଼ି ଭାଗ୍ୟକୁ ଆଦରି ଘରକୁ ଫେରି ଯିବାକୁ ବାଧ୍ୟ ହେଉଛି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ।
ଜଟଣୀ ଛଣ ଘରର ରମେଶ ବାରିକ(୬୦), ହାର୍ଣ୍ଣିଆ ରୋଗରେ ପୀଡ଼ିତ ହୋଇ ଗତ ୦୬.୦୧.୨୦ ମସିହାରେ ଚିକିସିôତ ହେବା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । କିନ୍ତୁ ଡ଼ାକ୍ତରଙ୍କର ଖାମଖିଆଲିଆ ମନଭାବ ଯୋଗୁଁ ଉପଯୁକ୍ତ ଚିକିତ୍ସା ସେବା ତାଙ୍କୁ ଯୋଗାଇ ଦିଆଯାଇ ନ ଥିଲା । ତାଙ୍କର ଅସ୍ତ୍ରୋପ୍ରଚାର ନିମନ୍ତେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ମୁଖ୍ୟ ପରୀକ୍ଷାଟି ହେଲା ଏଚ.ବି.ଏସ (ଏଜି), ଯାହାକି ୧୦.୦୧.୨୦୨୦ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଥିଲା । ରିପୋର୍ଟରେ ପଜିଟିଭ୍ ଆସିଥିଲା । ପୁନର୍ବାର ଶ୍ରୀ ବାରିକଙ୍କ ମନରେ ଏହି ରିପୋର୍ଟ ନେଇ ସନ୍ଦେହ ହେବାରୁ ସେ ଅନ୍ୟ ଏକ ପାଥୋ ଲ୍ୟାବରେ ପରୀକ୍ଷା କରାଇଥିଲେ । ଯାହାର ରିପୋର୍ଟ ନେଗେଟିଭ୍ ବୋଲି ବାହାରିଥିଲା । ଏ ସମ୍ପର୍କରେ ସେ ଡ଼ାକ୍ତରଙ୍କର ଦୃଷ୍ଟି ଆକର୍ଷଣ କରିବାରୁ ପୁନର୍ବାର ୧୧.୦୧.୨୦୨୦ରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରୀକ୍ଷା କରାଯାଇଥିଲା ଓ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏ ସମ୍ପର୍କରେ ସେ ୫ଟି ରେ ଅଭିଯୋଗ କରିଥିଲେ । ଏଥିରେ ଚିକିତ୍ସା କରୁଥିବା ଡାକ୍ତର ରାଗି ଯାଇଥିଲେ ଓ ତାଙ୍କୁ ଆକ୍ରୋଶମୂଳକ ଭାବରେ ତାଙ୍କର ହାର୍ଣ୍ଣିଆ ଅପରେସନ କରିପାରିବେ ନାହିଁ ବୋଲି କହିବା ସହିତ ନିଶ୍ଚେତକ ଦେବା ପାଇଁ ନିଶ୍ଚେତକ ବିଶେଷଜ୍ଞ ରାଜି ହୋଇନଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଯେ, ଜଣେ ଅତି ଗରିବ ଶ୍ରେଣୀର ରୋଗୀ ନିଜର ଜୀବନ ବଂଚାଇବାକୁ ଚିକିତ୍ସାଳୟକୁ ଆସିଥିବା ବେଳେ ତାଙ୍କ ପ୍ରତି ଚରମ ଅବହେଳା କରାଯାଇଛି । ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଏ ସମ୍ପର୍କରେ ସେ ଗତ ୧୩.୦୧.୨୦୨୦ରିଖରେ ଲିଖିତ ଭାବରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହିତ ଘଟଣାଟିର ତଦନ୍ତ କରି ଦୋଷୀ ଡ଼ାକ୍ତରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ଓ ଉପଯୁକ୍ତ ଚିକିତ୍ସା ସେବା ନ ପାଇ ସେ ଘରକୁ ଫେରି ଯାଇଥିଲେ । ଏଥିରୁ ସ୍ପଷ୍ଟ ଅନୁମାନ କରି ହେଉଛି ଯେ, କେତେ ସଫଳତାର ସହିତ ରାଜ୍ୟ ସରକାରଙ୍କର ୫ଟି କାର୍ଯ୍ୟ କରୁଛନ୍ତି । ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନରେ ଅନଭିଜ୍ଞ ବ୍ୟକ୍ତିମାନଙ୍କୁ ପାଥୋ ଲ୍ୟାବ, ଟେକ୍ନିସିଆନ ଭାବରେ ନିଯୁକ୍ତି ଦିଆଯାଇ ରୋଗୀମାନଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି ।