(ମହାଭାରତ, ନୂଆଦିଲ୍ଲୀ): ଗତବର୍ଷ ଡିସେମ୍ବର ୧୫ ତାରିଖରେ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ୟୁନିଭର୍ସିଟିରେ ହୋଇଥିବା ହିଂସାକାଣ୍ଡକୁ ନେଇ ଚାର୍ଜସିଟ୍ ଦାଖଲ କରିଛି । ଏଥିରେ ପୋଲିସ ଜେଏନୟୁ ଛାତ୍ର ଶରଜିଲ ଇମାମକୁ ହିଂସା ଉସୁକାଇଥିବା ଅଭିଯୋଗରେ ‘ଉତ୍ତେଜନା ସୃଷ୍ଟିକାରୀ’ ବୋଲି କହିଛି । ତା’ର ଭାଷଣରେ ପ୍ରଭାବିତ ହୋଇ ଏଭଳି ହିଂସାକାଣ୍ଡ ଘଟାଇଥିବା ଜଣେ ଅଭିଯୁକ୍ତ ବୟାନ ଦେବା ପରେ ପୋଲିସ ଏଭଳି ପଦକ୍ଷେପ ନେଇଛି । ତେବେ ଘଟଣାସ୍ଥଳରୁ ୩.୨ ଏମଏମ ପିସ୍ତଲର ଖାଲି ବୁଲେଟ୍ କ୍ୟାଟ୍ରିଜ ପୋଲିସ ପାଇଥିବା ଚାର୍ଜସିଟରେ ଦର୍ଶାଇଛି । କିନ୍ତୁ ଏଥିରେ କୌଣସି ଜାମିଆ ଛାତ୍ରଙ୍କ ନାମ ଉଲ୍ଲେଖ କରାଯାଇନାହିଁ । ଏହି ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା ୧୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ସିସିଟିଭି ଫୁଟେଜକୁ ନେଇ ତଦନ୍ତ ଚାଲୁ ରହିଥିବା ପୋଲିସ ସୂଚନା ଦେଇଛି । ଘଟଣାରେ ୧୦୦ରୁ ଉଦ୍ଧ୍ୱର୍ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ଏହି ଘଟଣାରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ବା ପିଏଫଆଇର କ’ଣ ଭୂମିକା ରହିଛି ସେନେଇ ତଦନ୍ତ ଜାରି ରହିଛି । ଭାରତୀୟ ପିଙ୍ଗଳ କୋଡର ଧାରା ୩୦୭,୧୪୭,୧୪୮,୧୪୯,୩୫୩ ଆଦି ଅନୁଯାୟୀ ଏହି ଚାର୍ଜସିଟ୍ ଦାଖଲ ହୋଇଛି । ସୂଚନାଯୋଗ୍ୟ, ଗତ ଡିସେମ୍ବର ୧୫ରେ ହୋଇଥିବା ଏହି ହିଂସାକାଣ୍ଡରେ ବିକ୍ଷୋଭକାରୀମାନେ ୪ଟି ବସ୍ ଓ ୨ଟି ପୋଲିସ ଗାଡି ଜାଳି ଦେଇଥିଲେ । ଏହି ଘଟଣାରେ ପୋଲିସ ଲାଠିମାଡ ସହ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା ।
previous post