(ମହାଭାରତ, ବାରିପଦା): ମୟୁରଭଞ୍ଜ ଜିଲା ବାରିପଦା ମୁନୁସିପାଲଟି ୱାର୍ଡ ନମ୍ବର-୨୫ ଛାଞ୍ଚ ଅଂଚଳରେ ୫୦ରୁ ଅଧିକ ପରିବାର ଲୋକେ ବସବାସ କରନ୍ତି । ଏଠାକାର ଲୋକେ ମୁଖ୍ୟତଃ •ଷ ଓ ଜଙ୍ଗଲ ଉପରେ ର୍ନିଭର କରିଥାନ୍ତି । ଏହି ଗାଁରେ ପିଇବା ପାଣି ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଆଗକୁ ଖରାଦିନ ଥିବାରୁ ପିଇବା ପାଣିର ସମସ୍ୟାର ସମାଧାନ କରିବାକୁ ଗାଁ ଲୋକେ ବ୍ଲକ କାର୍ଯ୍ୟାଳୟ ଘେରାଉ କରି ସମସ୍ୟା ସମାଧାନ ପାଇଁ ଦାବି କରିଛନ୍ତି ।
ପୂର୍ବରୁ ଲୋକେ ଗାଁ ନିକଟରେ ଥିବା ଏକମାତ୍ର କୂଅର ପାଣିକୁ ବ୍ୟବହାର କରୁଥିଲେ । କିନ୍ତୁ କୂଅ ପାଣିରୁ କାଦୁଅ ଓ ପଙ୍କ ବାହାରିବାରୁ ପାଣି ପିଇବା ଯୋଗ୍ୟ ହେଉନି । ଏହି କୂଅ ପାଣି ପିଇ ଲୋକେ ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି । ସୂଚନା ଅନୁଯାୟୀ, ପ୍ରଶାସନ ପକ୍ଷରୁ କିଛି ବର୍ଷ ତଳେ ଗାଁରେ ଏକ ନଳକୂପ ଖୋଳାଯାଇଥିଲା । ନଳକୂପ ଖୋଳା ଯିବା ପରେ ଗାଁ ଲୋକେ ବିଶୁଦ୍ଧ ପାଣି ପିଇ ପାରିବେ ବୋଲି ଆଶା କରିଥିଲେ । ହେଲେ ନଳକୂପ ଖୋଳାଯିବାର ଦିନ କେତେଟା ପରେ ଖରାପ ହୋଇଗଲା । ଫଳରେ ଲୋକେ ବିଶୁଦ୍ଧ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି । ପୂର୍ବରୁ ଗାଁ ଲୋକେ ଯେଉଁ ସମସ୍ୟା ଭୋଗୁଥିଲେ ଆଜି ମଧ୍ୟ ସେହି ସମାନ ଦଶା ଭୋଗୁଛନ୍ତି । ଗାଁରେ ପାଣିର ସମସ୍ୟା ଦୂର କରିବାକୁ ଲୋକେ ବ୍ଲକ୍ ଅଧିକାରୀଙ୍କୁ ଜଣାଇଛନ୍ତି । କିନ୍ତୁ ସେମାନଙ୍କୁ ମ୍ୟୁନିସିପାଲଟିରୁ ବ୍ଲକ । ଆଉ ବ୍ଲକରୁ ମୁନସିପାଲଟି ଏକ ମାସ ହେଲା ଦୌଡ଼ି ଦୌଡ଼ି ନୟାନ୍ତ ହେଲେ କେହି ବି ସେମାନଙ୍କ କଥା କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ପଙ୍କ କାଦୁଅ ପାଣି ପିଇ ଅନେକ ରୋଗରେ ଆକ୍ରାନ୍ତ ହେବାକୁ ପଡୁଛି । ଗାଁରେ ଥିବା କୂଅରୁ ଗୋଳିଆ ପାଣି ବାହାରୁଥିବାରୁ ଏଠାରେ ତୁରନ୍ତ ନଳକୂପ ଖୋଳିବାକୁ ଛାଞ୍ଚ ଅଞ୍ଚଳର ଲୋକେ ଦାବି କରିଛନ୍ତି । ଟୋପାଏ ବିଶୁଦ୍ଧ ପିଇବା ପାଣି ପାଇଁ ଡହଳ ବିକଳ ହେଉଥିବାରୁ ସମସ୍ୟା ସମାଧାନ ନ ହେଲେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ତାଲା ପକାଇ ଅନଶନ ଜାରି ରଖିବେ ବୋଲି ଗାଁ ଲୋକେ ଚେତାବନୀ ଦେଇଛନ୍ତି ।