ଓଡିଶା

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

(ମହାଭାରତ, ଜଳେଶ୍ୱର): ମୃତ୍ୟୁ ହେବାର ତିନି ଦିନ ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁ ମାଟିରେ ଶୋକାକୂଳ ପରିବେଶରେ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ୩୧ ବର୍ଷିୟ ଯବାନ ଜଣକ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ରଣା ମୁଣ୍ଡଳୀ ଗାଁର ପୁଅ ଅଭିରାମ ରାମ । ତିନି ବର୍ଷ ହେବ ସେ ବିଏସଫରେ ଯୋଗ ଦେଇ ଦେଶ ପାଇଁ ସେବା କରିଆସୁଥିଲେ । ଏବେ ତାଙ୍କ ମୃତ୍ୟୁ ପରେ ଗାଁ ମାଟି ତାଙ୍କୁ ଝୁରୁଛି । ପରିବାର ଲୋକେ ଓ ଅଞ୍ଚଳବାସୀ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି । ସୂଚନା ଅନୁଯାୟୀ, ହିମାଚଳ ପ୍ରଦେଶରେ ଅଭିରାମ କାର୍ଯ୍ୟରତ ଥିବା ବେଳେ ଗୁରୁବାର ଦିନ ତାଙ୍କ ଉପରେ ଏକ ବରଫ ଅତଡା ଖସି ପଡିଥିଲା । ଫଳରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୀର୍ଘ ୩ ଦିନ ପରେ ତାଙ୍କ ମର ଶରୀରକୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ବସ୍ତାକୁ ଅଣାଯାଇଥିଲା । ଗାନ୍ଧିଛକ ଠାରୁ ବସ୍ତା ବଜାର ପର୍ଯ୍ୟନ୍ତ ହଜାର ହଜାର ଅଞ୍ଚଳବାସୀ, ବଜାର କମିଟି, ବିଭିନ୍ନ ସଂଗଠନ ଜାତୀୟ ପତାକା ଧରି ଯବାନ ଅଭିରାମ ଅମର ରହେ ସ୍ଲୋଗାନ ଦେଇଥିଲେ । ଗାଁରେ ଶୋଭାଯାତ୍ରା ପହଞ୍ଚିବା ପରେ ତାଙ୍କ ବାସଭବନ ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମି ଦିଆଯାଇ ଶବଦାହ କରାଯାଇଥିଲା । ଅମର ଯବାନ ଅଭିରାମ ଗରିବ ଘରେ ଜନ୍ମ ନେଇ ବହୁ ଦୁଃଖ କଷ୍ଟରେ ପାଠ ପଢି ଯବାନ ନିଯୁକ୍ତି ପାଇ ଦେଶର ସେବା କରିଆସୁଥିଲେ । ତାଙ୍କର ଏଭଳି ଅଚାନକ ମୃତ୍ୟୁର ଖବର ପାଇ ବିଧବା ମା, ନବ ବିବାହିତା ସ୍ତ୍ରୀ ଓ ଭଉଣୀ ହତବାକ୍ ହୋଇଛନ୍ତି । ଏହାସହ ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Related posts

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି : ୫,୩୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଲକଡାଉନକୁ ଅବମାନନା କରି ନିଲମ୍ବିତ

mahabharatanews

ଦୁର୍ଘଟଣା ଘଟାଇଥିବା ମଦ୍ୟପ ଡ୍ରାଇଭରକୁ ଧରିଲେ ଲୋକେ

mahabharatanews