(ମହାଭାରତ, ପାଟନା): ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ଟାର୍ଗେଟ୍ କରି ପାଟନାରେ ତାଙ୍କର ବିରୋଧୀମାନେ ପୋଷ୍ଟର ଲଗାଉଛନ୍ତି । ପୂର୍ବରୁ ଚାରା ଦୁର୍ନୀତିକୁ ନେଇ ତାଙ୍କ ପୋଷ୍ଟର ଲାଗିଥିବା ବେଳେ ଏଥର ଭିନ୍ନ ଧରଣର ପୋଷ୍ଟର ଲାଗିଛି । ତାଙ୍କୁ ଟାର୍ଗେଟ କରି ପାଟନା ଠାରେ ଅପରାଧୀ କିଏ ନାମକ ଏକ ପୋଷ୍ଟର ମରାଯାଇଛି । ଏଥିରେ ବ୍ୟଙ୍ଗାତ୍ମକ ଭାବେ ଲାଲୁଙ୍କୁ ଜେଲରେ ରଖାଯାଇଥିବା ଦର୍ଶାଯାଇଛି । ପୋଷ୍ଟରରେ ଲାଲୁଙ୍କ ପୁଅ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ଓ ରାବ୍ରୀ ଦେବୀଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ନେହୁରା ହେଉଥିବା ଦେଖାଯାଇଛି । ଏହାସହ ଲାଲୁ ଏକ ବସ୍ତାରେ ଟଙ୍କା ବୋହି ନେଉଥିବା ଉଲ୍ଲେଖ ହୋଇଛି । ଲାଲୁ ଦୁର୍ନୀତିରେ ସମ୍ପୃକ୍ତ ଥିବା ନେଇ ସ୍ୱୀକାର କରୁଥିବା ପୋଷ୍ଟରରେ ଦର୍ଶାଯାଇଛି । ତେଜସ୍ୱୀଙ୍କ ବିରୋଧରେ ଥିବା ମାମଲାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ କରୁଥିବା ଏଥିରେ ଉଲ୍ଲେଖ ହୋଇଛି । ସୂଚନାଯୋଗ୍ୟ, ବିହାରରେ ବିଧାନସଭା ପୂର୍ବରୁ ନୀତିଶ କୁମାରଙ୍କ ଦଳ ଜେଡିୟୁ ଓ ଲାଲୁଙ୍କ ଆରଜେଡି ମଧ୍ୟରେ ପୋଷ୍ଟର ଯୁଦ୍ଧ ଚାଲିଛି । ଚଳିତଥର ଲାଲୁଙ୍କୁ ଟାର୍ଗେଟ କରି ଅପରାଧୀ କିଏ ବୋଲି ଜେଡିୟୁ ପକ୍ଷରୁ ଏହି ପୋଷ୍ଟର ମରାଯାଇଥିବା ସୂଚନା ମିଳିଛି ।
next post