(ମହାଭାରତ) : ଆମେରିକା-ଇରାନ ମଧ୍ୟରେ ବିବାଦ ତୀବ୍ର ହେଉଥିବା ବେଳେ ଭାରତକୁ ପ୍ରଶଂସା କରିଛି ଇରାନ । ବିଶ୍ୱରେ ଶାନ୍ତି ବଜାୟ ରଖିବାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛି ଇରାନ । ଇରାନ ରାଷ୍ଟ୍ରଦୂତ ଏହି ପ୍ରଶଂସା କରିଛନ୍ତି । ଇରାନର ଦୂତାବାସରେ ଏକ ଶାନ୍ତି ପ୍ରାର୍ଥନା ବୈଠକ ପରେ ଇରାନ ରାଷ୍ଟ୍ରଦୂତ ଅଲ୍ଲୀ ଛେଗେନୀ କହିଛନ୍ତି, ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସିଛି ।
ଆମେ ଯୁଦ୍ଧ ନୁହେଁ ଶାନ୍ତି ବଜାୟ ରଖିବାକୁ ଚାହୁଁ । ଇରାନର ମିଲିଟାରୀ କମାଣ୍ଡର କାସିମ ସୁଲେମାନିଙ୍କୁ ଆମେରିକା ହତ୍ୟା କରିବା ପରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ତରଫରୁ କୌଣସି ବି ପଦକ୍ଷେପକୁ ଇରାନ ସ୍ୱାଗତ କରିବ ବୋଲି ସେ କହିଛନ୍ତି । ଇରାକରେ ଥିବା ଆମେରିକାର ଦୁଇଟି ଏୟାରବେସ ଉପରେ ଇରାନର ଆକ୍ରମଣ କରିବାର କିଛି ଘଣ୍ଟା ପରେ ଇରାନ ପକ୍ଷରୁ ଏପରି ବାର୍ତ୍ତା ଦିଆଯାଇଛି । ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତ ଦେଶ ପକ୍ଷରୁ ପଦକ୍ଷେପକୁ ଆମେ ଗ୍ରହଣ କରିବୁ । ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ଦମନ କରିବା ଲାଗି ଭାରତ ଯାହା ପଦକ୍ଷେପ ନେବ ତାକୁ ଆମେ ସ୍ୱାଗତ କରିବୁ ବୋଲି ଇରାନ ରାଷ୍ଟ୍ରଦୂତ ଅଲ୍ଲୀ ଛେଗେନୀ କହିଛନ୍ତି ।