(ବେଜିଂ): ଚୀନରେ ସୃଷ୍ଟି ହୋଇଥିବା ଭୟଙ୍କର କୋରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇବା ଆରମ୍ଭ କରିଛି । ଏହି ଭାଇରସ ଯୋଗୁ ଚୀନର ଏଯାଏ ୨୫ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି । ଦେଶରେ ପ୍ରାୟ ୮୦୦ରୁ ଅଧିକ ଲୋକ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଏବେ ଏହା ଚୀନର ପଡୋଶୀ ଦେଶଗୁଡିକୁ ଧୀରେ ଧୀରେ ବ୍ୟାପିବାରେ ଲାଗିଛି । ଦେଶର ଉହାନ ସହରରେ ଏହି ଭୁତାଣୁ ପ୍ରଥମେ ଚିହ୍ନଟ ହୋଇଥିଲା । ତେଣୁ ସେଠାକାର ଲୋକ ଅଧିକ ପ୍ରଭାବିତ ହୋଇଛନ୍ତି । ଏଠାରେ ଲୋକଙ୍କୁ ବାହାରକୁ ବାହାରିବାକୁ ବାରଣ କରାଯାଇଥିବା ବେଳେ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ ରଖାଯାଇଛି । ସ୍ଥିତି ବିଗିଡିବାରେ ଲାଗିଥିବାରୁ ଉହାନ, ହୁଆଗାଙ୍ଗ ଓ ଇଜୋଉ ସହରରେ ପରିବହନ ଓ ବ୍ୟବସାୟିକ କାରବାରକୁ ବନ୍ଦ କରିଦିଆଯାଇଛି । ସେହିପରି ଉହାନ ସହରରେ ୨୫ ଜଣ ଭାରତୀୟ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ୨୦ ଜଣ କେରଳରୁ ରହିଛନ୍ତି । ଏନେଇ ଚାଇନାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଚାଇନାରେ ସୃଷ୍ଟି ହୋଇଥିବା ସ୍ଥିତି ଉପରେ ନଜର ରଖାଯାଇଛି । ଉହାନରେ ଥିବା ସମସ୍ତ ଭାରତୀୟଙ୍କୁ ସମସ୍ତ ପ୍ରକାରର ସହଯୋଗ କରିବା ପାଇଁ ଚୀନର ଅଧିକାରୀମାନେ ପ୍ରତିଶୃତି ଦେଇଛନ୍ତି । ଅନ୍ୟପଟେ, କୋରାନା ଭାଇରସରେ ଆକ୍ରାନ୍ତ ହୋଇ ୮୩୦ ଜଣ ହସ୍ପଟିଟାଲରେ ଚିକିତ୍ସିତ ହେଉଥିବା ଚାଇନାର ଜାତୀୟ ସ୍ୱାସ୍ଥ୍ୟ କମିଶନ ସୂଚନା ଦେଇଛି । ଏହି ଭୂତାଣୁ ଅନ୍ୟ ଦେଶକୁ ବ୍ୟାପିବା ଆରମ୍ଭ କରିଛି । ସାଉଦି ଆରବରେ ଥିବା ଜଣେ ଭାରତୀୟ ନର୍ସ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଥାଇଲ୍ୟାଣ୍ଡ, ଦକ୍ଷିଣ କୋରିଆ ଓ ଅଷ୍ଟ୍ରେଲିଆ ଭଳି ୭ଟି ଦେଶକୁ ଏହି ଭାଇରସ ବ୍ୟାପିଥିବା ଜଣାପଡିଛି ।
previous post