(ନୂଆଦିଲ୍ଲୀ): ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହ ରାଜକ୍ଷମା ନାକଚ ବିରୋଧରେ କରିଥିବା ଆବେଦନ ବୁଧବାର ସୁପ୍ରିମକୋର୍ଟରେ ଖାରଜ ହୋଇଛି । ଏହାକୁ ନିର୍ଭୟାଙ୍କ ମା’ ଆଶା ଦେବୀ ସ୍ୱାଗତ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟକୁ ସେ ସ୍ୱାଗତ କରୁଛନ୍ତି । ଗତ ସାତ ବର୍ଷ ଧରି ଆଇନ ବ୍ୟବସ୍ଥା ଉପରେ ବିଶ୍ୱାସ ରଖିଆସିଛି । ତେଣୁ ଯଥାଶୀଘ୍ର ସମ୍ଭବ ଦୋଷୀଙ୍କୁ ଫାଶୀ ଦିଆଯାଉ ବୋଲି ସେ କହିଛନ୍ତି । ଆସନ୍ତା ଫେବୃଆରୀ ୧ ତାରିଖ ସକାଳ ୬ଟାରେ ସମସ୍ତ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବାକୁ କୋର୍ଟ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି । କିନ୍ତୁ ଏଥିରୁ ବର୍ତ୍ତିବା ପାଇଁ ଦୋଷୀମାନେ ଆଇନର ସବୁ ରାସ୍ତାକୁ ଆପଣାଇବାରେ ଲାଗିଛନ୍ତି । ରାଷ୍ଟ୍ରପତିଙ୍କ ଠାରୁ ରାଜକ୍ଷମା ପାଇବାକୁ ନିବେଦନ କରି ବିଫଳ ହେବା ପରେ ମୁକେଶ ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ଫାଶୀ ଦିଆଯିବାକୁ ନିର୍ଦ୍ଧାରଣ କରାଯାଇଥିବା ସମୟର ଯଥେଷ୍ଟ ପୂର୍ବରୁ କୋର୍ଟ ରାୟ ଶୁଣାଇ ଆବେଦନକୁ ଖାରଜ କରିଛନ୍ତି । ଦୋଷୀଙ୍କ ଏଭଳି ଭେଳିକି ଦେଖି ନିର୍ଭୟାଙ୍କ ମା’ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ସୁୁପ୍ରିମକୋର୍ଟଙ୍କ ଉପରେ ପୂରା ବିଶ୍ୱାସ ରହିଛି । ଫେବୃଆରୀ ୧ରେ ହିଁ ଦୋଷୀଙ୍କୁ ଫାଶୀ ଦିଆଯିବ । ତେବେ ଫାଶୀରେ ବିଳମ୍ବ ହେଉଥିବା ଯୋଗୁଁ ଆଶା ଦେବୀ କ୍ରୋଧ ପ୍ରକାଶ କରିଛନ୍ତି । ଏଭଳି ଦୋଷୀଙ୍କୁ ନ୍ୟାୟ ବ୍ୟବସ୍ଥା ଯେଉଁ ଅଧିକାର ଦେଇଛି, ତାହାର ସେମାନେ ଭୁଲ ଉପେଯାଗ କରୁଛନ୍ତି । କୋର୍ଟ ଏହା ଉପରେ ଅଙ୍କୁଶ ଲଗାଇବା ଉଚିତ । ସୂଚନାଯୋଗ୍ୟ, ଏହି ମାମଲାର ସମସ୍ତ ଦୋଷୀଙ୍କୁ ଫେବୃଆରୀ ପହିଲା ସକାଳ ୬ଟାରେ ଫାଶୀ ଦିଆଯିବ ।
previous post
next post