(ନୂଆଦିଲ୍ଲୀ): ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ନଜରବନ୍ଦୀ ଘଟଣାକୁ ଚ୍ୟାଲେଞ୍ଜ କରି ତାଙ୍କ ଭଉଣୀ ସାରା ଅବଦୁଲ୍ଲା ପାଇଲଟ ସୁପ୍ରିମକୋର୍ଟରେ କରିଥିବା ଆବେଦନର ଶୁଣାଣି ଆସନ୍ତା ଶୁକ୍ରବାର ହେବ । ବୁଧବାର ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠରୁ ବିଚାରପତି ମୋହନ ଏମ ଶାନ୍ତନାଗୌଦାର ଆବେଦନର ଶୁଣାଣିରୁ ଓହରି ଯିବାରୁ ଶୁଣାଣି କରାଯାଇ ପାରି ନଥିଲା । ଶୁଣାଣିରୁ ଓହରିଯିବା ସଂକ୍ରାନ୍ତରେ ସେ କୌଣସି କାରଣ ଉଲ୍ଲେଖ କରିନାହାନ୍ତି । ଏହି ମାମଲାର ଗୁରୁବାର ଦିନ ଶୁଣଣୀ ପାଇଁ ଆଉ ଏକ ଖଣ୍ଡପୀଠ ଆଗ୍ରହ ପ୍ରକାଶ କରିଥିବା ବେଳେ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବି କପିଲ ଶିବଲ ସେହିଦିନ ଉପସ୍ଥିତ ହୋଇ ପାରିବେ ନାହିଁ ବୋଲି ଜଣାପଡିବାରୁ ଶୁକ୍ରବାର ଦିନ ନୂତନ ଖଣ୍ଡପୀଠ ଗଠନ ପରେ ମାମଲାର ଶୁଣାଣି ହେବ । ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ୪ ତାରିଖରୁ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କୁ ଗୃହବନ୍ଦୀ ରଖାଯାଇଛି । ୨୦୧୯ ଅଗଷ୍ଟ ୫ ତାରିଖ ଦିନ କେନ୍ଦ୍ର ସରକାର କାଶ୍ମିରରୁ ଧାରା ୩୭୦ ଉଚ୍ଛେଦ କରିବାର କିଛି ଘଣ୍ଟା ପୂର୍ବରୁ ତାଙ୍କୁ ଅଟକ ରଖାଯାଇଥିଲା । ଛଅମାସ ଧରି ନଜରବନ୍ଦି ରହିବା ପରେ ‘ପବ୍ଲିକ ସେଫ୍ଟଟି ଆକ୍ଟ’ (ପିଏସଏ) ବଳରେ ସରକାର ତାଙ୍କର ଅଟକର ସମୟସୀମା ବଢାଇଦେଇଛନ୍ତି । ଏହି ଆଇନ ବଳରେ ଜଣେ ବ୍ୟକ୍ତିଙ୍କୁ ୨ ବର୍ଷରୁ ଅଧିକ ସମୟ ଅଟକ ରଖାଯାଇପାରିବ । ତେବେ ଏହାକୁ ବେଆଇନ ଦର୍ଶାଇ ତାଙ୍କ ଭଉଣୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇ ପିଟିସନ ଦାଖଲ କରିଛନ୍ତି ।
previous post
next post
