(ଭୁବନେଶ୍ୱର) : ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଗସ୍ତ ସମୟରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲର ବେଣାପୁରଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ସେଠାରେ ଆୟୋଜିତ ବିରାଟ ସାଧାରଣ ସଭାରେ ଉଦବୋଧନ ଦେବେ ।
ସୂଚନାନୁଯାୟୀ , ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ବେଣାପୁର ପଡ଼ିଆରେ ଅସ୍ଥାୟୀ ହେଲିପ୍ୟାଡ଼ କରାଯାଇଛି । ପରୀକ୍ଷାମୂଳକ ଭାବେ ବାୟୁସେନାର ଦୁଇଟି ହେଲିକପ୍ଟର ସେଠାରେ ଲ୍ୟାଣ୍ଡିଂ କରିଛି । ହେଲିପ୍ୟାଡ଼ ସହ ସଭାସ୍ଥଳ ତନଖି କରାଯାଇଛି । ପ୍ରଧାନମନ୍ତ୍ରୀ ଚଣ୍ଡିଖୋଲଠାରେ ୧୯ ହଜାର ୬୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଗୁଡ଼ିକ ତୈଳ ଓ ଗ୍ୟାସ, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତି କ୍ଷେତ୍ରର ରହିଛି ।
