(ନୂଆଦିଲ୍ଲୀ): ଚୀନରୁ ବ୍ୟାପିଥିବା କୋରୋନା ଭାଇରସରୁ ବର୍ତ୍ତିବା ପାଇଁ କେନ୍ଦ୍ର ସରକାର ଯଥାସମ୍ଭବ ପଦକ୍ଷେପ ନେଉଛନ୍ତି । ଏଯାଏ ଦେଶରେ ୭୩ ଜଣ ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି । ଏହି ଭାଇରସ ଇଟାଲୀ ଓ ଦକ୍ଷିଣ କୋରିଆ ଭଳି ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଏଭଳି ସ୍ଥିତିରେ ଭାରତର ପ୍ରମୁଖ ବିମାନ ଉଡାଣ ସଂସ୍ଥା ଏୟାର ଇଣ୍ଡିଆ ଏହି ଦୁଇ ଦେଶକୁ ବିମାନ ଉଡାଣ ବନ୍ଦ କରିଛି । ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଦକ୍ଷିଣ କୋରିଆକୁ ଏବଂ ୨୮ ଯାଏ ଇଟାଲୀକୁ ବିମାନ ଉଡାଣ ବନ୍ଦ ରହିବ ବୋଲି ଏୟାର ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏପ୍ରିଲ ୧୫ ଯାଏ ବର୍ହିବ୍ୟାପାର ମନ୍ତ୍ରଣାଳୟ ସମସ୍ତ ଭିଜାକୁ ରଦ୍ଧ କରିବା ପରେ ଏୟାର ଇଣ୍ଡିଆ ବିମାନ ଉଡାଣ ବନ୍ଦ ରଖିବ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ଚଳିତ ମାସ ୧୩ ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିବା ସମସ୍ତ ଭିଜା ଏବଂ ଇ-ଭିସାକୁ ମଧ୍ୟ ମନ୍ତ୍ରଣାଳୟ ରଦ୍ଧ କରିଛି । ଏହି ସମୟ ମଧ୍ୟରେ କୌଣସି ବିଦେଶୀ ନାଗରିକ ଭାରତରେ ପ୍ରବେଶ କରିପାରିବେ ନାହିଁ । ଚୀନ, ଇଟାଲୀ, ଇରାନ, ଦକ୍ଷିଣ କୋରିଆ, ସ୍ପେନ, ଜର୍ମାନୀ ସମେତ ଅନ୍ୟ ଦେଶରୁ ଫେରୁଥିବା ଭାରତୀୟ ମାନଙ୍କୁ ଏୟାରପୋର୍ଟରେ ସ୍କ୍ରିନିଂ କରାଯିବା ସହ ୧୪ ଦିନ ପର୍ଯ୍ୟନ୍ତ ଯାଞ୍ଚ କରାଯିବ । କୋରୋନା ସଂକ୍ରମଣରେ ଏବେ ସାରା ବିଶ୍ୱରେ ୪ ହଜାରରୁ ଅଧିକ ଲୋଙ୍କର ମୃତ୍ୟୁ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ‘ମହାମାରୀ’ ଘୋଷଣା କରିଛି ।
previous post