ଚନ୍ଦାହାଣ୍ଡି : ଭଲ ପଡ଼ୋଶୀ ଭାବେ ଅସମୟରେ ଛତିଶଗଡ଼କୁ ସହାୟତା କରି ନୂଆ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା । ପଡ଼ୋଶୀ ରାଜ୍ୟର ଭୟାବହ ଅଗ୍ନିକାଣ୍ଡକୁ ଆୟତ୍ତ କରି ଓଡ଼ିଶା ଅଗ୍ନିଶମ ବିଭାଗ ସଂପର୍କର ନୂଆ ଅଧ୍ୟାୟ ଆରମ୍ଭ କରିଛି । ସୀମା, ପାଣି ସହ ଅନେକ ବିବାଦ ଦୁଇ ରାଜ୍ୟ ମଧ୍ୟରେ ରହିଛି । ଏହାସତ୍ତେ୍ୱ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଦମକଳ ବାହିନୀ ସବୁ ବିବାଦକୁ ପଛରେ ପକାଇ ଦାୟିତ୍ୱ ଏବଂ କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ ପ୍ରକୃତ ମାନବିକତାର ପରିଚୟ ଦେଇଛି । ଯାହାକୁ ନେଇ ଏବେ ଦୁଇ ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇ ପରସ୍ପରକୁ ଅଧିକ ନିକଟତର କରିଛ ।
ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସୀମାକୁ ଲାଗି ରହିଛି ଛତିଶଗଡ଼ର ମେନପୁର ବ୍ଲକ୍ । ଭାଷା, ପରଂପରା ଏବଂ ଚାଲିଚଳନ ସଂପୂର୍ଣ୍ଣ ଭିନ୍ନ । ତଥାପି ଦୁଇ ରାଜ୍ୟର ଏହି ଦୁଇ ବ୍ଲକର ବାସିନ୍ଦାଙ୍କ ମଧ୍ୟରେ ଦୀର୍ଘବର୍ଷର ପାରିବାରିକ ସଂପର୍କ ରହିଛି । ଏପରିକି ବ୍ୟବସାୟ ପାଇଁ ଦୁଇ ବ୍ଲକ ପରସ୍ପର ଉପରେ ନିର୍ଭର କରନ୍ତି । ତେବେ ଆଜି ମେନପୁର ବ୍ଲକ ସରଗିଗୁଡ଼ା ଗାଁର କୈଳାସ କଶ୍ୟପଙ୍କ ଘରେ ନିଆଁ ଲାଗିଥିବା ଖବର ମିଳିଥିଲା । ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ଘଟିଥିବା ବେଳେ ଦୁଇ ବଖରା ସଂପୂର୍ଣ୍ଣ ପୋଡ଼ି ଯାଇଥିଲା । ଘରକୁ ଲାଗି ରହିଥିବା ଗୋଟିଏ ତେଜରାତି ଦୋକାନ କ୍ଷତିଗ୍ରସ୍ତ ହୋଇଥିଲା । ପରବର୍ତ୍ତୀ ସମୟରେ ନିଆଁ ଆଖପାଖକୁ ବ୍ୟାପିବା ଆରମ୍ଭ କରିଥିଲା । କରୋନା ମୁକାବିଲା ପାଇଁ ଗରିଆବନ୍ଧ ଜିଲ୍ଲା ପ୍ରଶାସନ କଟକଣା ଲାଗୁ କରିଛି । ୧୪୪ ଧାରା ବଳବତ୍ତର ରହିଥିବାରୁ ଲୋକେ ଘରୁ ବାହାରୁ ନାହାନ୍ତି । ଅନ୍ୟପଟେ ସରଗିଗୁଡ଼ା ଗାଁରୁ ଗରିଆବନ୍ଧ ଜିଲ୍ଲା ମହକୁମା ସ୍ଥିତ ଦମଳକ କେନ୍ଦ୍ରର ଦୂରତା ୧୧୧କିଲୋମିଟର । ତେଣୁ ଏତେ ଦୂରରୁ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିବା ସମ୍ଭବପର ନଥିଲା । ଏମିତି ସ୍ଥିତିରେ ବିପନ୍ନ ହୋଇଥିବା କୈଳାସ କଶ୍ୟପ କୌଣସି ଉପାୟ ନପାଇ ନିଜ ସଂପର୍କୀୟଙ୍କ ଜରିଆରେ ଚନ୍ଦାହାଣ୍ଡି ଦମକଳ ବାହିନୀକୁ ଜଣାଇଥିଲେ । ଅଘଟଣ ଖବର ପାଇବା ପରେ ଚନ୍ଦାହାଣ୍ଡି ଅଗ୍ନିଶମ ବିଭାଗ ତତ୍ପରତା ପ୍ରକାଶ କରିଥିଲା । ସୀମା ପାର ହୋଇ ପଡ଼ୋଶୀ ରାଜ୍ୟକୁ ଯିବାକୁ ଦ୍ୱିଧା ପ୍ରକାଶ କରି ନଥିଲେ କର୍ମ·ରୀ । ୨୫ କିଲୋମିଟର ଦୂରତାକୁ କିଛି ମିନିଟ ମଧ୍ୟରେ ଅତିକ୍ରମ କରିଥିଲେ । ଘଟଣାସ୍ଥଳରେ ପହଞ୍ଚିବା କ୍ଷଣି ନିଆଁ ଲିଭାଇବା ପାଇଁ ପୂରା ଜୋର ଲଗାଇ ଦେଇ ନିଜ ପ୍ରୟାସରେ ସଫଳ ହୋଇଥିଲେ । ଅଗ୍ନିକାଣ୍ଡରେ ୩ଟି ଘର ସହ କୈଳାସ କଶ୍ୟପଙ୍କ ନଗଦ ୨ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ସୂଚନା ମିଳିଛି । ଚନ୍ଦାହାଣ୍ଡି ଦମକଳ ବାହିନୀର ଏଭଳି ଉଦ୍ୟମକୁ ପଡ଼ୋଶୀ ରାଜ୍ୟରେ ବେଶ୍ ପ୍ରଶଂସା କରାଯାଉଛି ।