(ଭୋପାଳ): ମଧ୍ୟପ୍ରଦେଶରେ କମଲନାଥଙ୍କ ସରକାରରେ ଏବେ ରାଜନୈତିକ ସଙ୍କଟ ଦେଖାଦେଇଛି । ଗତ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଥିବା ୧୯ ଜଣ ବିଧାୟକ ଏବେ ବେଙ୍ଗାଲୁରୁର ଏକ ହୋଟେଲରେ ରହିଛନ୍ତି । ତେବେ ସେମାନେ କୌଣସି ମତେ ବିଜେପିରେ ଯୋଗ ଦେବେ ନାହିଁ କି ଦଳରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ହାତ ମିଳାଇବେ ନାହିଁ ବୋଲି ଜଣାଯାଇଛି । ବେଙ୍ଗାଲୁରୁର ହୋଟେଲକୁ ଯାଇ ଏହି ବିଧାୟକଙ୍କୁ ଭେଟିଥିବା ମଧ୍ୟପ୍ରଦେଶ କଂଗ୍ରେସ ନେତା ସଜ୍ଜନ ସିଂହ ଏହି ସୂଚନା ଦେଇଛନ୍ତି । ବେଙ୍ଗାଲୁରୁର ହୋଟେଲରେ ଥିବା ବିଧାୟକମାନେ ବିଜେପିିରେ ଯୋଗ ଦେବେ ନାହିଁ । ସିନ୍ଧିଆଙ୍କ ସହ ଯିବା ପାଇଁ ସେମାନେ ଇଚ୍ଛୁକ ନଥିବା ବେଙ୍ଗାଲୁରୁରୁ ଫେରିବା ପରେ ସଜ୍ଜନ ସିଂହ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ବିଜେପି ଅର୍ଥ ଓ ବାହୁ ବଳ ଲଗାଇ ଏହି ବିଧାୟକମାନଙ୍କୁ ନିଜ ଦଳକୁ ନେବାକୁ ଚେଷ୍ଟା କରୁଛି । କିନ୍ତୁ ଏହି ବିଧାୟକମାନେ କଂଗ୍ରେସ ପ୍ରତି କୃତଜ୍ଞ ରହିଥିବା କହିଛନ୍ତି । ତେଣୁ ସେପରି ଚିନ୍ତାର କୌଣସି କାରଣ ନାହିଁ । ଦଳର ସମସ୍ତ ବିଧାୟକ ଏବେ ଜୟପୁରର ଏକ ହୋଟେଲକୁ ଯାଉଛନ୍ତି । ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ତାଙ୍କ ଇସ୍ତଫା ପରେ ଦଳର ୧୯ ଜଣ ବିଧାୟକ ଦଳରୁ ଇସ୍ତଫା ଦେଇଥିଲେ । ତେବେ ଏହି ବିଧାୟକ ମାନେ ଏବେ ସିନ୍ଧିଆଙ୍କ ନିକଟତର ବୋଲି ମଧ୍ୟ ଜଣାଯାଇଛି । ଗତକାଲି ଇସ୍ତଫା ଦେବା ପରେ ଏମାନଙ୍କ ସହ କଥାବାର୍ତ୍ତା ପାଇଁ କଂଗ୍ରେସ ତାର ଦୁଇ ଜଣ ବିଧାୟକଙ୍କୁ ବେଙ୍ଗାଲୁରୁ ପଠାଇଥିଲା ।
previous post