ଓଡିଶା

କରୋନା ଆତଙ୍କ: ଜିଲ୍ଲା ସ୍ୱାସ୍ଥ୍ୟ ସେବାକୁ ନେଇ ପ୍ରଶ୍ନ

କେନ୍ଦ୍ରାପଡା: ଗତ ୪ ତାରିଖରୁ ଗୁରୁବାର ସୁଦ୍ଧା ମୋଟ ୧୦୦ ଜଣ ବ୍ୟକ୍ତି ବିଦେଶରୁ ଜିଲାକୁ ଫେରିଥିବା ବେଳେ ଶୁକ୍ରବାର ୩୦ ଜଣ କେନ୍ଦ୍ରାପଡା ଆସିଛନ୍ତି । ଏହି ୩୦ ଜଣ ଜିଲା ମୁଖ୍ୟ ଚିକିତ୍ସାଳୟରେ ନିଜର ନାମ ପଞ୍ଜୀକରଣ ସହ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ନିଜ ଗୃହ ମଧ୍ୟରେ ନଜରବନ୍ଦୀ ହୋଇଛନ୍ତ । ପ୍ରତିଦିନ ବିଦେଶ ଫେରନ୍ତାଙ୍କ ସଂଖ୍ୟା ଜିଲାରେ ବଢ଼ୁଥିବା ବେଳେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଦିନକୁଦିନ ବଢ଼ୁଛି । ଜିଲାର ପ୍ରତି ଚିକିତ୍ସାଳୟରେ ସଂକ୍ରମିତ ରୋଗୀଙ୍କୁ ପରୀକ୍ଷା କରିବା ବ୍ୟବସ୍ଥା ସହ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାବ ଟେଷ୍ଟ ପାଇଁ ସମସ୍ତ ଉପକରଣ ମହଜୁଦ ଥିବା ଏଡିଏମ୍‌ଓ ମିର୍ଜା ବାବର ବେଗ ସୂଚନା ଦେଇଛନ୍ତି । ତେବେ ଜିଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ସତ୍ତ୍ୱେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ନେଇ ବହୁ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି । ବୁଦ୍ଧିଜୀବୀ ପ୍ରତାପ କୁମାର ପାଢ଼ୀ, ସାମାଜିକ କର୍ମୀ ସୁନୀଲ ଗନ୍ତାୟତ, ଶ୍ରମିକ ନେତା ଗୟାଧର ଧଳ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡା ଜିଲାର ବିଭିନ୍ନ ବ୍ଲକରେ ୫୨ଟି ପିଏଚସି ଓ ସିଏଚସି ଅଛି । ଏଥିରେ ମୋଟ ୨୨୪ ଡାକ୍ତର ପଦବୀ ପାଇଁ ମଞ୍ଜୁରୀ ପାଇଛି । ତେବେ ଏଥି୍ୱ ମଧ୍ୟରେ ମାତ୍ର ୬୦ ଡାକ୍ତର ଜିଲାରେ ସ୍ଥାୟୀ ନିଯୁକ୍ତି ପାଇଥିବା ବେଳେ ୧୪ ଜଣ ଚୁକ୍ତିଭିତ୍ତିକ ଓ ୫୧ ଜଣ ଆୟୁଷ ଡାକ୍ତର କାର୍ଯ୍ୟ କରୁଛନ୍ତି । ସେହିପରି ଜିଲାର ୨୪୯ ପଞ୍ଚାୟତରେ ମୋଟ ୨୭୩ ଏଏନ୍‌ଏମ୍ ପଦବୀ ଅଛି । ଏଥିମଧ୍ୟରୁ ମାତ୍ର ୨୩୮ଟି ପଦବୀ ପୂରଣ ହୋଇଛି । କରୋନା ସଂକ୍ରମଣ ଆଶଙ୍କା ବଢ଼ୁଥିବାରୁ ଆଗାମୀ ଦିନରେ ସ୍ୱାସ୍ଥ୍ୟ କର୍ମୀଙ୍କ ଅଭାବ ପରିଲକ୍ଷିତ ହେବ । ସେହିପରି ଜିଲାରେ ୩୦ରୁ ଅଧିକ ଗ୍ରାମ ପାଇଁ ସିଧାସଳଖ ରାସ୍ତା ନାହିଁ । ବିଭିନ୍ନ ନଦୀପଥ ଦେଇ ରୋଗୀମାନେ ଚିକିତ୍ସାଳୟକୁ ଆସିଥାନ୍ତି । ବୋଟ ଆମ୍ବୁଲାନ୍ସ ସେବା ବତୀଘର ଅଞ୍ଚଳରେ ଥିବା ବେଳେ ଅନ୍ୟ ନଦୀ ପାଶ୍ୱର୍ବର୍ତ୍ତୀ ଗ୍ରାମବାସୀଙ୍କ ପାଇଁ ତୁରନ୍ତ ସ୍ୱାସ୍ଥ୍ୟସେବା ସମ୍ଭବ ନୁହେଁ । ଏହାକୁ ଦୃଷ୍ଟିର ରଖି ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ବଳିଷ୍ଠ କରିବାକୁ ଜିଲାବାସୀ ବାରମ୍ବାର ଆନ୍ଦୋଳନ କରୁଛନ୍ତି । ତେବେ ଏଥିରେ ସୁଫଳ ମିଳୁନାହିଁ । କରୋନା ଭୂତାଣୁ ସଂକ୍ରମଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ପଞ୍ଚାୟତସ୍ତରରେ ନଜରବନ୍ଦୀ ଗୃହ ବ୍ୟବସ୍ଥା ହେଉଛି । ତେବେ ଏଥିପାଇଁ ସ୍ୱାସ୍ଥ୍ୟ କର୍ମୀ ଆସିବେ କେଉଁଠୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ଏଡିଏମଓ ବେଗ କହିଛନ୍ତି ଯେ, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହ ପ୍ରଶାସନିକ ଅଧିକାରୀ, ଲୋକ ପ୍ରତିନିଧି ଓ ସ୍ୱେଚ୍ଛାସେବୀ ସଂଗଠନର ସହାୟତା ନିଆଯାଉଛି । ଏଥିସହ ପ୍ରତି ଗ୍ରାମରେ ଥିବା ଆଶା ଓ ଅଙ୍ଗନୱାଡି କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହା ବ୍ୟତୀତ ଜିଲାବାସୀଙ୍କ ସହଯୋଗ ହିଁ କରୋନା ସଂକ୍ରମଣକୁ ରୋକିପାରିବ ବୋଲି ସେ ମତ ଦେଇଛନ୍ତି ।

Related posts

ଆଇଆଇସିଙ୍କୁ ମାଡମାରି ଏଏସଆଇ ନିଲମ୍ବିତ

mahabharatanews

୪ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

mahabharatanews

ଭିଜିଲାନ୍ସ ସରକାରର ହାତ ବାରିସି

mahabharatanews