ଆତ୍ମରକ୍ଷା ପାଇଁ ଆରମ୍ଭ ହୋଇଥିଲା ଲଢ଼ୁଆ ଖେଳର ଯାତ୍ରା। ହେଲେ ଦୀର୍ଘ ବର୍ଷର ପରିଶ୍ରମ, ସଂଘର୍ଷ ଓ ଅଦମ୍ୟ ମନୋବଳ ଆଜି ତାଙ୍କୁ ପହଞ୍ଚାଇଛି ଏସିଆଡ୍ର ପଦକ ମଞ୍ଚରେ। ପାରମ୍ପରିକ ମିଶ୍ରିତ ସାମରିକ କଳା ବା ଏମ୍ଏମ୍ଏରେ କାଂସ୍ୟ ପଦକ ଜିତି ୩୬ ବର୍ଷୀୟା ସୂଚିକା ତରିୟାଲ ଭାରତୀୟ କ୍ରୀଡ଼ା ଜଗତରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି।
ମାତ୍ର ୧୨ ବର୍ଷ ବୟସରେ ଘଟିଥିବା ଏକ ଘଟଣା ପରେ ସୂଚିକା ଆତ୍ମରକ୍ଷା କୌଶଳ ଶିଖିବାକୁ ସ୍ଥିର କରିଥିଲେ। ଜୁଡୋରୁ ତାଙ୍କ କ୍ରୀଡ଼ା ଯାତ୍ରା ଆରମ୍ଭ ହୋଇଥିଲା। ପରେ ଜୁ-ଜିତ୍ସୁ ଓ ଏମ୍ଏମ୍ଏରେ ନିଜ ପ୍ରତିଭାର ପରିଚୟ ଦେଇଥିଲେ।
)
ଜୁଡୋରେ ସୂଚିକା ୮ ଥର ଜାତୀୟ ଚାମ୍ପିଅନ୍ ହୋଇଛନ୍ତି। ୨୦ରୁ ଅଧିକ ଅନ୍ତର୍ଜାତୀୟ ଜୁଡୋ ପ୍ରତିଯୋଗିତାରେ ଭାଗ ନେଇଥିବା ସେ ୨୦୧୯ ରାଜ୍ୟଗୋଷ୍ଠୀ ଜୁଡୋ ଓ ଦକ୍ଷିଣ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାପୂର୍ବରୁ ୨୦୧୮ ରାଜ୍ୟଗୋଷ୍ଠୀ ଜୁଡୋରେ ରୌପ୍ୟ ପଦକ ହାସଲ କରିଥିଲେ। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୫୭ କିଲୋଗ୍ରାମ ବର୍ଗରେ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ।
ତେବେ ଏହି ବିଫଳତା ତାଙ୍କ ମନୋବଳ ଭାଙ୍ଗିପାରିନଥିଲା। ୨୦୨୪ ବିଶ୍ୱ ଜୁ-ଜିତ୍ସୁର ୬୩ କିଲୋଗ୍ରାମ କଣ୍ଟାକ୍ଟ ମହିଳା ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ସେ ନିଜ ସାମର୍ଥ୍ୟର ପ୍ରମାଣ ଦେଇଥିଲେ। ୨୦୧୭ରେ ଏମ୍ଏମ୍ଏର ପ୍ରଥମ ବାଉଟ୍ ଜିତିଥିବା ସୂଚିକା ୨୦୨୪ରୁ ପେସାଦାର ଏମ୍ଏମ୍ଏ ଫାଇଟର୍ ଭାବେ ନିଜ ଯାତ୍ରା ଆରମ୍ଭ କରିଥିଲେ। ଏସୀୟ ଏମ୍ଏମ୍ଏ ପ୍ରତିଯୋଗିତାରେ ମଧ୍ୟ ସେ ଦୁଇଥର କାଂସ୍ୟ ପଦକ ଜିତିଛନ୍ତି।
ସାଧାରଣ ପରିବାରରୁ ଆସିଥିବା ସୂଚିକା ଭୋପାଳ ସାଇ କେନ୍ଦ୍ରରେ ପ୍ରଶିକ୍ଷଣ ନେଇ ନିଜକୁ ଅନ୍ତର୍ଜାତୀୟ ସ୍ତରର ଯୋଦ୍ଧା ଭାବେ ଗଢ଼ିଛନ୍ତି। ବର୍ତ୍ତମାନ ସେ ହରିୟାଣା କ୍ରୀଡ଼ା ବିଭାଗରେ କନିଷ୍ଠ ପ୍ରଶିକ୍ଷକ ଭାବେ କାର୍ଯ୍ୟରତ। ଏହାପୂର୍ବରୁ ସିଆଇଏସ୍ଏଫ୍ରେ ହେଡ୍ କନଷ୍ଟେବଳ ଭାବେ ମଧ୍ୟ କାମ କରିଥିଲେ।
ସୂଚିକାଙ୍କ କହିବା ଅନୁସାରେ, ଜୁଡୋ ହିଁ ତାଙ୍କ କ୍ରୀଡ଼ା ଜୀବନର ମୂଳଦୁଆ। ସେହି ମୂଳଦୁଆକୁ ଆଧାର କରି ଆଜି ସେ ଏମ୍ଏମ୍ଏର ଏସିଆଡ୍ ପଦକ ମଞ୍ଚରେ ପହଞ୍ଚି ଭାରତ ପାଇଁ କାଂସ୍ୟ ପଦକ ଜିତିଛନ୍ତି। ତାଙ୍କ ଏହି ଯାତ୍ରା ଆତ୍ମରକ୍ଷାରୁ ଆରମ୍ଭ ହୋଇ ଅନ୍ତର୍ଜାତୀୟ ସଫଳତାର ଏକ ପ୍ରେରଣାଦାୟକ କାହାଣୀ ପାଲଟିଛି।
