ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନ ଉପରେ ହୋଇଛି ଏୟାର ଷ୍ଟ୍ରାଇକ। ଏଥିରେ ପ୍ରାଣ ହରାଇଛନ୍ତି ୨୮ ଜଣ । ପାକିସ୍ତାନ ଏୟାର ଷ୍ଟ୍ରାଇକ ସମ୍ପର୍କରେ ସୂଚନା ଦେବା ସହ ଆଫଗାନିସ୍ତାନ ସୀମାନ୍ତରେ ଥିବା ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରାଯାଇଥିବା ଦାବି କରିଛି। ଶୁକ୍ରବାର କୋହାଟ ସ୍ଥିତ ଗୋଟିଏ ମସଜିଦରେ ଆତ୍ମଘାତୀ ହମଲା ହୋଇଥିଲା। ଏହାର ପ୍ରତିଶୋଧ ନେବାକୁ ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରାଯାଇଥିବା ସୂଚନା ରହିଛି । ଆତଙ୍କବାଦୀ ସଂଗଠନଗୁଡ଼ିକର ସୁରକ୍ଷିତ ଠିକଣା ବନିଥିବା ସ୍ଥାନଗୁଡ଼ିକ ଉପରେ ଏୟାର ଷ୍ଟ୍ରାଇକ ହୋଇଥିବା ପାକିସ୍ତାନ ଦାବି କରିଛି। ତେବେ ଆଫଗାନିସ୍ତାନ କହିଛି ଯେ ପାକିସ୍ତାନୀ ଏୟାର ଷ୍ଟ୍ରାଇକ କନୁନାର ଓ ପାକଟିକା ଭଳି ପୂର୍ବ ପ୍ରାନ୍ତରେ ହୋଇଛି। ଏଥିରେ ୩ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ୪ ଜଣ ଆହତ। ସାଧାରଣ ଜବସତିକୁ ଟାର୍ଗେଟ କରାଯାଇଥିବାରୁ ଆଫଗାନିସ୍ତାନ ଏହାକୁ ନିନ୍ଦା କରିଛି।
ଶୁକ୍ରବାର କୋହାଟରେ ଥିବା ପୁଲିସ୍ ଲାଇନ ମସିଜିଦ ନିକଟରେ ଆତ୍ମଘାତୀ ହମଲା ହୋଇଥିଲା। ପୁଲିସ୍ ଲାଇନ ଭିତରେ ଥିବା ମସଜିଦ ନିକଟରେ ଗୋଟିଏ ବିସ୍ଫୋରକ ଖଚିତ ଗାଡ଼ିକୁ ବିସ୍ଫୋରଣ କରାଯାଇଥିଲା।ଏଥିରେ ୨୪ ଜଣ ପ୍ରାଣ ହରାଇଥିଲେ। ଶୁକ୍ରବାର ପୁଲିସ୍ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକ ସମୂହ ନମାଜ ପାଠ ପାଇଁ ଏକାଠି ହୋଇଥିବା ବେଳେ ଏପରି ହମଲା ପୂରା ଦେଶକୁ ଦୋହଲାଇ ଦେଇଥିଲା। ବାସ୍ ଏହାପରେ ଆଫଗାନିସ୍ତାନ ସୀମାରେ ପଶି ପାକିସ୍ତାନ ଏୟାର ଷ୍ଟ୍ରାଇକ କରିବ ବୋଲି ଚେତାବନୀ ଦେଇଥିଲା। ଶନିବାର ପାକିସ୍ତାନ ସୂଚନା ପ୍ରସାରଣ ମନ୍ତ୍ରଣାଳୟ କହିଥିଲା ଯେ ଆଫଗାନିସ୍ତାନ ସ୍ଥିତ ବେସ୍ରୁ ଆତଙ୍କବାଦୀମାନେ କୋହାଟ ହମଲାକୁ କାର୍ୟ୍ୟକାରୀ କରିଛନ୍ତି। ଏହାର ଜବାବ ପାକିସ୍ତାନ ନିଶ୍ଚିତ ଭାବେ ଦେବ। ଏହି ଚେତାବନୀର ଦିନକ ପରେ ସୋମବାର ପାକିସ୍ତାନ ଏୟାର ଷ୍ଟ୍ରାଇକ କରିଛି।
