(ନୂଆଦିଲ୍ଲୀ): ଜେଏନୟୁ ହିଂସାକାଣ୍ଡ ଉପରେ ସମସ୍ତ ଭିଡିଓ, ସିସିଟିଭି ଫୁଟେଜ ଓ ଅନ୍ୟ ପ୍ରମାଣକୁ ସଂରକ୍ଷିତ ରଖିବା ପାଇଁ ହୋଇଥିବା ଆବେଦନର ଶୁଣାଣି ସୋମବାର ଦିଲ୍ଲୀ ହାଇକୋର୍ଟ କରିଛନ୍ତି । ଜେଏନୟୁର ୩ ଜଣ ପ୍ରଫେସର ଏନେଇ ଆବେଦନ କରିଥିଲେ । ଆଜି କୋର୍ଟ ଏହାର ଶୁଣାଣି କରି ପୋଲିସ, ଦିଲ୍ଲୀ ସରକାର, ହ୍ୱାଟ୍ସଆପ, ଗୁଗଲକୁ ନୋଟିସ ଜାରି କରିଛନ୍ତି । ସେମାନେ ଏଭଳି ତଥ୍ୟ ସଂରକ୍ଷଣ ଉପରେ ତୁରନ୍ତ ମତ ରଖିବାକୁ କୋର୍ଟ କହିଛନ୍ତି । ଏହି ହିଂସାକାଣ୍ଡର ସିସିଟିଭି ଫୁଟେଜ ସଂରକ୍ଷିତ ରଖିବା ସହ ପୋଲିସକୁ ଦେବା ପାଇଁ ଜେଏନୟୁ ପ୍ରଶାସନକୁ କୁହାଯାଇଛି ବୋଲି ଦିଲ୍ଲୀ ପୋଲିସ ଆବେଦନର ଶୁଣାଣି ବେଳେ କୋର୍ଟଙ୍କୁ କହିଛି । ଏଯାଏ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଠାରୁ ତଥ୍ୟ ସଂରକ୍ଷିତ ସମ୍ପର୍କରେ କୌଣସି ଜବାବ ପାଇନାହିଁ ବୋଲି ଦିଲ୍ଲୀ ସରକାରଙ୍କ ତରଫରୁ ମାମଲା ଲଢୁଥିବା ଓକିଲ ରାହୁଲ ମେହେର କହିଛନ୍ତି । ଏଥିସହ ଜେଏନୟୁ ଛାତ୍ରଛାତ୍ରୀ ଗଠନ କରିଥିବା ୟୁନିଟି ଏଗେନଷ୍ଟ ଲେଫ୍ଟ ଓ ଫ୍ରେଣ୍ଡସ ଅଫ ଆରଏସଏସ ନାମକ ୨ଟି ହ୍ୱାଟ୍ସଆପ ଗ୍ରୁପର ତଥ୍ୟ ସଂରକ୍ଷିତ ରଖିବାକୁ ହ୍ୱାଟ୍ସଆପକୁ ଚିଠି ଲେଖିଛି । ଏଥିରେ ଥିବା ଫଟୋ, ଭିଡିଓ ଓ ଫୋନ ନମ୍ବର ପୂର୍ବପରି ରଖିବାକୁ କୁହାଯାଇଛି ।
previous post