ନୂଆଦିଲ୍ଲୀ: ଗୋଟିଏ କରୋନା ମାମଲା ଯୋଗୁଁ ପୁରା ସୋସାଇଟିକୁ ସିଲ କରିବା ଫଳରେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଲେ । ତେଣୁ ବର୍ତ୍ତମାନ ଏହି ନିୟମ ବଦଳାଇ ଦିଆଯାଇଛି । ନୂଆ ନିୟମ ଅନୁଯାୟୀ, କୌଣସି କଲୋନୀ କିମ୍ବା ହାଉସିଂ ସୋସାଇଟିରୁ କରୋନା ଆସିଲେ ପୁରା କଲୋନୀକୁ ସିଲ କରାଯିବ ନାହିଁ । ବରଂ କେବଳ ସେହି ଟାୱାରକୁ କିମ୍ବା ସେହି ଫ୍ଲୋରକୁ ହିଁ ସିଲ କରାଯିବ । ଏହି ନିର୍ଣ୍ଣୟ ନେବା ଅଧିକାର ଜିଲ୍ଲା ଅଧିକାରୀଙ୍କୁ ଦିଆଯାଇଛି । ରାଜ୍ୟ ସରକାର ଓ ଗୃହ ମନ୍ତ୍ରାଳୟ ଏନେଇ ଆଦେଶ ଜରି କରିବା ପରେ ଏହିଭଳି ନିର୍ଣ୍ଣୟ ନିଆଯାଇଛି । ନୂଆ ଆଦେଶରେ କଣ୍ଟେନମେଣ୍ଟ ଜୋନ ଏରିଆ ମଧ୍ୟ ନିର୍ଣ୍ଣୟ କରାଯାଇଛି ।
ଗୌତମବୁଦ୍ଧ ନଗର ଜିଲ୍ଲା ଅଧିକାରୀ ସୁହାସ ଏଲୱାଇ ଏକ ଆଦେଶରେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଆଦେଶ ପରେ ସହରଗୁଡିକରେ କଣ୍ଟେନମେଣ୍ଟ ଏରିଆ ପୁଣିଥରେ ନିର୍ଣ୍ଣୟ କରାଯାଇଛି । ଯଦି କୌଣସି ବଡ ଆପାର୍ଟମେଣ୍ଟରେ କରୋନା ମାମଲା ସାମ୍ନାକୁ ଆସେ ତାହେଲେ ହାଉସିଂ ସୋସାଇଟିରେ ସେହି ଗୋଟିଏ ଟାୱାରକୁ ସିଲ କରିବ । ଯଦି ଗୋଟିଏରୁ ଅଧିକ ପଜିଟିଭ ମାମଲା ବାହାରେ ତାହେଲେ ପୂର୍ବରୁ ଜାରି ହୋଇଥିବା ଆଦେଶ ଅନୁସାରେ, ୫୦୦ ମିଟର ବିଶିଷ୍ଟ କଣ୍ଟେନମେଣ୍ଟ ଏରିଆ ଏବଂ ୨୫୦ ମିଟରର ବଫର ଜୋନ ଚିହ୍ନଟ ପ୍ରକ୍ରିୟା ଜାରି ହେବ ।
ଅପରପକ୍ଷରେ ଯଦି ଦୁଇଟି ଟାୱାରରେ ଗୋଟିଏ ଲେଖାଏଁ ମାମଲା ବାହାରେ ଏବଂ ଉଭୟ ଟାୱାର ମଧ୍ୟରେ ଦୂରତା ୫୦୦ ମିଟରରୁ ଅଧିକ ଥାଏ ତାହେଲେ ସେହି ସୋସାଇଟି କଣ୍ଟେନମେଣ୍ଟ ଜୋନ ଘୋଷିତ ହେବନାହିଁ । ଆରଡବ୍ଲୁଏ ଓ ହାଉସିଂ ସୋସାଇସିଟିରେ ରହୁଥିବା ଲୋକଙ୍କ ବିରୋଧ ପରେ ଏହିଭଳି ପଦକ୍ଷେପ ନିଆଯାଇଛି । କାରଣ କିଛି ଦିନ ପୂର୍ବରୁ ଗାଜିଆବାଦରେ ଏକ କରୋନା ମାମଲା ସାମ୍ନାକୁ ଆସିବା ପରେ ପୁରା ସୋସାଇଟିକୁ ସିଲ କରିଦିଆଯାଇଥିଲା ଫଳରେ ସୋସାଇଟିରେ ହଙ୍ଗାମା ସୃଷ୍ଟି ହୋଇଥିଲା ।