(ନୂଆଦିଲ୍ଲୀ): ନୌସେନା ଅଞ୍ଚଳ ମଧ୍ୟରେ ଭାରତୀୟ ନୌସେନା କର୍ମଚାରୀମାନେ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ ବୋଲି ଭାରତୀୟ ନୌସେନା ନିଷେଧାଦେଶ ଜାରି କରିଛି । ଫଳରେ କର୍ମଚାରୀମାନେ ଫେସବୁକ୍, ଇନଷ୍ଟାଗ୍ରାମ, ଟ୍ୱିଟର ଏବଂ ହ୍ୱାଟ୍ସଆପ ଭଳି ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ । ନୌସେନାର ଜାହାଜ ଓ ଏୟାରବେସରେ ମଧ୍ୟ କର୍ମଚାରୀମାନଙ୍କୁ ଆଉ ସ୍ମାର୍ଟଫୋନ ବ୍ୟବହାର କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ନୌସେନା ନିର୍ଦ୍ଦେଶ ଜାରି କରିଛି । କିଛି ଦିନ ତଳେ ପାକିସ୍ତାନର ଗୁପ୍ତଚରଙ୍କ ସହ ଯୋଗାଯୋଗ ରଖିଥିବା ଅଭିଯୋଗରେ ୭ ଜଣ ଭାରତୀୟ ନୌସେନା କର୍ମଚାରୀ ଏବଂ ମୁମ୍ବାଇର ଜଣେ ହାୱଲା ଅପରେଟର ଗିରଫ ହେବା ପରେ ଡିସେମ୍ବର ୨୭ ତାରିଖ ଦିନ ଏହି ନିଷେଧାଦେଶ ଜାରି କରାଯାଇଛି । ଉଲ୍ଲେଖଯୋଗ୍ୟ, ଭାରତୀୟ ନୌସେନା ହିଁ ପ୍ରଥମେ ସୋସିଆଲ ମିଡିଆ ବ୍ୟବହାର ଆରମ୍ଭ କରିଥିଲା । ନୌସେନା ତାର ଫେସବୁକ ପେଜ ଏବଂ ଟ୍ୱିଟର ଜରିଆରେ କର୍ମଚାରୀ ଚୟନ ପାଇଁ ବିଜ୍ଞାପନ ଦେଇଥାଏ । ନୌସେନା ପୂର୍ବରୁ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଖୋଲିଥିଲା ।
next post