ଭୁବନେଶ୍ଵର: କମିଶନରେଟ ପୁଲିସ ପାଇଁ ନୂଆ ନିର୍ଦ୍ଦେଶନାମା ଜାରିକରିଛନ୍ତି କମିଶନର ସୁଧାଂଶୁ ଷଡ଼ଙ୍ଗୀ । ନୂଆ ନିର୍ଦେଶନାମା ଅନୁଯାୟୀ ପୁଲିସ ବାବୁଙ୍କୁ ଫିଟ୍ ରହିବାକୁ ହେବ । ଯେଉଁ ପୁଲିସ ବାବୁମାନେ ଫିଟନେସରେ ଫେଲ୍ ମାରିବେ ସେମାନଙ୍କ ଇନ୍କ୍ରିମେଣ୍ଟ ବନ୍ଦ ହୋଇପାରେ ଅଥବା ଚାକିରିରୁ ବିଦା ହୋଇପାରନ୍ତି। ଏହି ନିର୍ଦ୍ଦେଶନାମା ପରେ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।
କମିଶନରେଟ୍ ପୁଲିସର ସମସ୍ତ କର୍ମଚାରୀଙ୍କୁ ଫିଟ୍ନେସ୍ ଟାର୍ଗେଟ୍ ଦେଇଛନ୍ତି ପୁଲିସ କମିଶନର। ଆଗାମୀ ଏକ ସପ୍ତାହ ମଧ୍ୟରେ ସମସ୍ତ କର୍ମଚାରୀଙ୍କର ଉଚ୍ଚତା ଏବଂ ଓଜନ ମାପ ହେବ। ଏହା ପରେ ସେମାନଙ୍କୁ ବଡି ମାସ୍ ଇଣ୍ଡେକ୍ସ(ବିଏମଆଇ) ଲିଖିତ ଆକାରରେ ପ୍ରଦାନ କରାଯିବ। ବୟସ ଓ ଉଚ୍ଚତା ଅନୁସାରେ ଓଜନ କେତେ ରହିବା ଦରକାର ତାହା ବିଏମଆଇରେ ଉଲ୍ଲେଖ ରହିବ। ୧୯ରୁ ୨୫ ପର୍ୟ୍ୟନ୍ତ ବିଏମଆଇ ଥିଲେ ତାହା ସ୍ବାଭାବିକ ବୋଲି ଧରାଯିବ। ୩୦ ହେଲେ ମେଦବହୁଳତା କୁହାଯିବ। ଓଜନ ଓ ବିଏମଆଇ ପ୍ରଦାନ କାର୍ୟ୍ୟ ଜୁଲାଇ ୩୦ ସୁଦ୍ଧା ଶେଷ ହେବ। ପୁଣି ୩ ମାସ ପରେ ଆଗାମୀ ନଭେମ୍ବରରେ କର୍ମଚାରୀମାନଙ୍କର ଓଜନ ମାପ କରାଯିବ। ୩ ମାସ ମଧ୍ୟରେ ସେମାନେ ନିଜ ଓଜନ କମାଇବାକୁ କେତେ ଚେଷ୍ଟା କରିଛନ୍ତି ତାହା ପରଖାଯିବ। ଯେଉଁମାନଙ୍କର ବିଏମଆଇ ୩୦ରୁ ଅଧିକ ଥିବ ସେମାନେ ବାଧ୍ୟତାମୂଳକ ଭାବେ ବ୍ୟାୟାମ କରିବେ। ଏହା ସହିତ ୬ ସପ୍ତାହ ରିଫ୍ରେଶର କୋର୍ସ କରିବେ। ଯେଉଁମାନେ ଆଦେଶକୁ ଗୁରୁତ୍ଵ ଦେବେନାହିଁ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କି ଦରକାର ପଡ଼ିଲେ ସେମାନଙ୍କ ଇନ୍କ୍ରିମେଣ୍ଟ ବନ୍ଦ କରାଯାଇପାରେ ଅଥବା ସ୍ବାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇପାରେ ବୋଲି ନିର୍ଦେଶନାମାରେ କୁହାଯାଇଛି।
previous post
